ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କେନ୍ଦ୍ର କ୍ୟାବିନେଟ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ବଦଳି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ପ୍ରାକ ପ୍ରାଥମିକ ଶିକ୍ଷା ୨୦୨୫ ସୁଦ୍ଧା ୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା ମିଳିବ । ୨୦୩୦ ସୁଦ୍ଧା ୩ ବର୍ଷରୁ ୧୮ ବର୍ଷ ବୟସର ସମସ୍ତଙ୍କୁ ମିଳିବ ଶିକ୍ଷା । ନୂତନ ପାଠ୍ୟକ୍ରମରେ ୩ରୁ ୧୮ ବର୍ଷର ପିଲାଙ୍କ ପାଇଁ ୫+୩+୩+୪ ଭିତିରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ।
୧. ପ୍ରଥମ ପର୍ଯ୍ୟାୟରେ ପ୍ରାକ ପ୍ରାଥମିକ ଶିକ୍ଷା, ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ
୨. ପ୍ରାଥମିକ ଶିକ୍ଷା ତୃତୀୟରୁ ୫ମ ଶ୍ରେଣୀ
୩. ଉଚ୍ଚ ପ୍ରାଥମିକ ଶିକ୍ଷା ଷଷ୍ଠରୁ ଅଷ୍ଟମ
୪. ଉଚ୍ଚଶିକ୍ଷା ବା ମାଧ୍ୟମିକ : ନବମରୁ ଦ୍ୱାଦଶ
କଳା ଓ ବିଜ୍ଞାନ କ୍ଷେତ୍ରରେ ବିଶେଷ ପ୍ରଭେଦ ରହିବ ନାହିଁ । ପିଲାମାନେ ନିଜ ପସନ୍ଦର ପାଠ ପଢ଼ି ପାରିବେ । ବିଷୟ ଚୟନରେ ପିଲାଙ୍କ ପସନ୍ଦକୁ ଅଗ୍ରାଧିକାର ଦିଆଯିବ । ସେମାନେ କଳା, ବିଜ୍ଞାନ, ଖେଳ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଆଦିକୁ ପସନ୍ଦ କରିପାରିବେ ।
ଆଞ୍ଚଳିକ ଭାଷାରେ ଶିକ୍ଷାଦାନ : ୨ରୁ ୮ ବର୍ଷ ମଧ୍ୟରେ ପିଲାମାନେ ଖୁବଶୀଘ୍ର ଭାଷା ଶିକ୍ଷା ଗ୍ରହଣ କରିଥା’ନ୍ତି । ସେହି ସମୟରେ ସେମାନଙ୍କୁ ମାତୃଭାଷା ସହ ତିନୋଟି ଭାଷା ଶିକ୍ଷା ଦିଆଯିବ । ପ୍ରାରମ୍ଭିକ ବା ଫାଉଣ୍ଡେସନ ପର୍ଯ୍ୟାୟରେ ସେମାନଙ୍କୁ ଭାଷାଶିକ୍ଷା ପ୍ରଦାନ କରାଯିବ ।
ପୂର୍ବଭଳି ତ୍ରିଭାଷୀୟ ଶିକ୍ଷା ଜାରି ରହିବ : ୧୯୬୮ ଶିକ୍ଷା ନୀତି, ୧୯୮୬ ଓ ୧୯୯୨ ଶିକ୍ଷାନୀତି ଭଳି ନୂଆ ଶିକ୍ଷାନୀତିରେ ବି ତ୍ରିଭାଷୀୟ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି । ସ୍ଥାନୀୟ ଅଂଚଳ ଆଧାରରେ ଭାଷା ଚୟନ କରାଯିବ ।
ଶାସ୍ତ୍ରୀୟ ଭାଷା ବି ଶିଖିବେ : ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ଭାଷା ପଢ଼ାଯିବ । ଯାହାଫଳରେ ଏହି ଭାଷାର ବିକାଶ ଓ ସଂରକ୍ଷଣ କରାଯାଇପାରିବ । ସରକାରୀ ହେଉ କି ବେସରକାରୀ ସେମାନେ ଏହି ଭାଷା ସମ୍ପର୍କରେ ଜାଣିବେ  । ସେହିପରି ମାଧ୍ୟମିକ ଶିକ୍ଷା ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବି ଏହି ବିକଳ୍ପ ରହିବ । ପ୍ରତି ରାଜ୍ୟରେ ରାଜ୍ୟ ଶିକ୍ଷା ନିୟନ୍ତ୍ରଣ କର୍ତୃପକ୍ଷ ଗଠନ କରାଯିବ । ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରାଯିବ । ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ଗଠନ କରାଯିବ ବୋଲି ରାଜ୍ୟ ଶିକ୍ଷା ନିୟନ୍ତ୍ରଣ କର୍ତୃପକ୍ଷ କହିଛନ୍ତି ।