ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ….

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ଓଡ଼ିଶାକୁ ‘ସ୍ପେଶାଲ କାଟାଗୋରୀ ଷ୍ଟାଟସ୍’ ଓ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍ ’ଦେବାକୁ ଦାବୀ ଦୋହରାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହାସହିତ ଦେଶରେ ଏକକାଳୀନ ନିର୍ବାଚନ, ମହିଳାଙ୍କ ସଶକ୍ତିକରଣ, ସମସ୍ତ ହିତାଧିକାରୀକେନ୍ଦ୍ରିତ ଯୋଜନାଗୁଡ଼ିକର ବିସ୍ତୃତ ସର୍ଭେ ଓ ଜଳସେଚନର ସଦୁପଯୋଗ ମାଧ୍ୟମରେ ଦ୍ୱିତୀୟ ସବୁଜ ବିପ୍ଲବ ନିମନ୍ତେ ଓଡ଼ିଶା ପରାମର୍ଶ ଦେଇଛି।ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଫୋନି ବାତ୍ୟା ଯୋଗୁ ଓଡ଼ଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟକୁ ମାନଦଣ୍ଡ ଭାବେ ଗ୍ରହଣ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ସେ ଦାବି ଜଣାଇଛନ୍ତି। ଏହାସହିତ ଯେଉଁ ରାଜ୍ୟଗୁଡ଼ିକ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍ ’ ମାନ୍ୟତା ସହ ଆର୍ଥିକ ସହାୟତା ଦିଆଯାଉ।ସେହିପରି ପିଏମ-କିଷାନ ଯୋଜନାରେ ଭୁୂମିହୀନ ଚାଷୀ ପରିବାର ଓ ଭାଗଚାଷୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ପ୍ରସ୍ତାବ ଦେବା ସହ ୨୦୧୯ ଏପ୍ରିଲ ସୁଦ୍ଧା ଅସମାପ୍ତ ଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ କରିବା, କନ୍ଧମାଳ,ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ମାର୍ଗ ସଂଯୋଗ ପାଇଁ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା, ଭାରତନେଟ୍ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ ଓ କୋଇଲା ରୟାଲିଟିକୁ ୧୪ରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସଫଳତା ସମ୍ପର୍କରେ ଆଲୋକପାତ କରି କହିଛନ୍ତି ଯେ ଦରିଦ୍ର ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡ଼ିଶା ଏକ ଦଶନ୍ଦି ମଧ୍ୟରେ ଦେଶରେ ସର୍ବାଧିକ ଦାରିଦ୍ର‌୍ୟ ହ୍ରାସକାରୀ ରାଜ୍ୟ ପାଲଟିଛି। ଧାନ ଓ ଚାଉଳରେ ଅଭାବୀ ରାଜ୍ୟ ଥିବା ଓଡ଼ିଶା ଏବେ ବଳକା ରାଜ୍ୟ ପାଲଟିଛି ତଥା କେନ୍ଦ୍ରୀୟ ପୁଲକୁ ସର୍ବାଧିକ ଯୋଗଦାନ ଦେଉଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ଦ୍ଧାରଣ କରିପାରିଛି ବୋଲି ସେ କହିଛନ୍ତି।ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।