ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି “ନିଶିଗନ୍ଧା” ଜନ୍ମ ଉତ୍ସବ ତଥା ନୂତନ ଭାବରେ ଖୋଲିଥିବା ତିନୋଟି ୱେବସାଇଟର ପରିଚାଳନା ପାଇଁ ନିଶିଗନ୍ଧା ପରିବାରର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ଗତ ୧୯ ତାରିଖ ବୈଠକରେ ଯେଉଁସବୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା ତଥା ପ୍ରସ୍ତାବ ଗୁଡିକ ଆଗତ ହୋଇଥିଲା ତାରି ଉପରେ ଆଜି ସଭାପତି ଡଃ. ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଏହି ସମୀକ୍ଷା ବୈଠକ ଆଜି ଗୁଗଲ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲିଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ମୁଖ୍ୟତଃ ୪ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରଥମତଃ ସମସ୍ତେ ସମୟlନୁବର୍ତ୍ତି ହୋଇ ଶୃଙ୍ଖଳା ରକ୍ଷା କରିବା ପାଇଁ ସଭାପତି ଅବଗତ କରାଇଥିଲେ । ପୂର୍ବ ବୈଠକର ସମୀକ୍ଷା ଯେଉଁଥିରେ ନିଷିଗନ୍ଧାର ଚାରିଟି ଜୋନର ସଭାପତି ଓ ସଂଯୋଜକ ମାନେ ନିଜ ନିଜ ଜୋନ ଗୁଡିକରେ ଦେଖାଯାଉଥିବା ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ନିଶିଗନ୍ଧା ଜନ୍ମଦିବସର କାର୍ଯ୍ୟକ୍ରମ ପାଇଁ ଯେଉଁ ବ୍ୟୟ ଅଟକଳ ରହିଛି ତାକୁ ଆଖି ଆଗରେ ରଖି ଆଜୀବନ ସଦସ୍ୟତା, ବାର୍ଷିକ ସଭ୍ୟ ଆଦି ସୂତ୍ରରୁ ଅର୍ଥ ସଂଗ୍ରହ କରିବା ପାଇଁ ପ୍ରତି ଜୋନର ସଭାପତି ଓ ସଂଯୋଜକ ମାନେ ନିଶିଗନ୍ଧା ନିୟମ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଵାଧୀନ ଭାବରେ କାର୍ଯ୍ୟ କରିପାରିବେ ବୋଲି ସଭାପତି ପ୍ରକାଶ କରିଥିଲେ । କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ “ଆୟ ଦେଖି ବ୍ୟୟ” କରିବା, ଯଦି ଆବଶ୍ୟକ ପଡେ କାର୍ଯ୍ୟକ୍ରମକୁ କମ ଖର୍ଚ୍ଚରେ କରିବା ଓ ସମସ୍ତ କର୍ମକର୍ତ୍ତା ମାନେ ନିଜ ନିଜର ସହୃଦୟତାର ସହିତ କିଛି କିଛି ଆର୍ଥିକ ସହାୟତା ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ କାର୍ଯ୍ୟକାରୀ ସମ୍ପାଦିକା ଗୀତାଶ୍ରୀ ପ୍ରିୟମ୍ବଦା କହିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ତାଙ୍କର ପ୍ରସ୍ତାବକୁ ସମସ୍ତେ ଯୁକ୍ତି ଯୁକ୍ତ ମନେକରି ସମସ୍ତେ ସହମତି ପ୍ରଦାନ କରିଥିଲେ । ଦ୍ବିତୀୟତଃ ନିଶିଗନ୍ଧାର ନୂତନ ଭାବରେ ଖୋଲିଥିବା ତିନୋଟି ୱେବସାଇଟ ପାଇଁ ୧୮ଟି ବିଷୟ ବସ୍ତୁକୁ ନେଇ ୧୮ ଗ୍ରୁପ ଗଠନ କରାଯାଇ ପ୍ରତି ଗ୍ରୁପ୍ ପାଇଁ ଜଣେ ଲେଖାଏଁ ଏଡ଼ିଟରଙ୍କୁ ବଛାଯାଇ ତାଙ୍କୁ ଉକ୍ତ ଗ୍ରୁପ୍ ପରିଚାଳନାର ଦାୟିତ୍ଵ ଦିଆଯାଇଥିଲା । ନିଶିଗନ୍ଧା ଭଳି ଏକ ବିଶାଳ ସାରସ୍ଵତ ସଂଗଠନର ମର୍ଯ୍ୟାଦା ଯେମିତି କ୍ଷୂର୍ଣ୍ଣ ନ ହୁଏ, ସେଥିପ୍ରତି ଦୃଷ୍ଟିଦେଇ କାମ କରିବା ପାଇଁ ପ୍ରତିଷ୍ଠାତା ବଳରାମ ତରାଇ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ରାଜ୍ୟ ବିଚାରକ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖପତ୍ରର ସଂଶୋଧନରେ ଯେଉଁ ସବୁ ଅସୁବିଧା ବା ତ୍ରୁଟି ଅନୁଭବ କରିଥିଲେ ତାକୁ ଉପସ୍ଥାପନ କରି ସେଗୁଡ଼ିକର ସମାଧାନ ପାଇଁ ସମସ୍ତଙ୍କ ମତାମତ ଗ୍ରହଣ କରି ସେଇ ଅନୁରୂପେ କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ସ୍ଥିର କରିଥିଲେ । ଏହି ବୈଠକରେ ଅନୁଷ୍ଠାନର ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ, ଶୃଙ୍ଖଳା, ଅଧ୍ୟବସାୟ, ନିଷ୍ଠା, ଅସୀମ ଧୈର୍ଯ୍ୟ ଓ ସର୍ବୋପରି ନିରବଚ୍ଛିନ୍ନ ଉଦ୍ୟମ ହିଁ ସଫଳତା ହାସଲର ଚାବିକାଠି । ଏହି ଉପଲବ୍ଧିକୁ ପାଥେୟ କରି ସମସ୍ତେ ସମ୍ମିଳିତ ଉଦ୍ୟମ ଜାରି ରଖିବା ଦରକାର । ଅନ୍ୟର ଦୋଷଦର୍ଶୀ ନହେଇ ଆମ ନିଜର ଦୋଷ ଦୁର୍ବଳତାକୁ ଜାଣିପାରିଲେ ହିଁ ଆମେ ସଫଳତା ଆଡ଼କୁ ଅଗ୍ରସର ହୋଇପାରିବା । ଆମେ ଅନ୍ୟ ଆଡ଼କୁ ଗୋଟିଏ ଆଙ୍ଗୁଳି ଦେଖାଇଲେ ଆମ ନିଜ ଆଡ଼କୁ ଆଉ ଚାରୋଟି ଆଙ୍ଗୁଳି ପ୍ରଦର୍ଶିତ ହେଉଛି । ଯାହାର ଅର୍ଥ ହେଉଛି ଅନ୍ୟର ଯେତିକି ଦୋଷ ଦୁର୍ବଳତାକୁ ଆମେ ଦେଖାଉଛେ ଆମ ଆଡ଼କୁ ତାର ଚାରି ଗୁଣ ଦୋଷ ନିର୍ଦ୍ଦେଶିତ ହୋଇଯାଉଛି । ଚାଲନ୍ତୁ ! ଆମେ ଏଭଳି କାର୍ଯ୍ୟ କରିବା ଯେପରି ଅନ୍ୟମାନେ ସେହିଭଳି କାର୍ଯ୍ୟ କରିବାକୁ ଆଗେଇ ଆସିବେ । ସେମାନେ ନ ଆସିପାରିଲେ ସେମାନେ ନିଜେ ଦୁଃଖିତ ହେବା ଅନୁଭବ କରି ପାରିବେ । ବିଫଳତା ହିଁ ସଫଳତାର ଚାବିକାଠି । ଜଣେ ମହାତ୍ମା ଗାନ୍ଧୀଙ୍କ ସଫଳ ନେତୃତ୍ୱରେ ଅସଂଖ୍ୟ ଲୋକ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କଷ୍ଟଲବ୍ଧ ସ୍ୱାଧୀନତା ହାସଲ କରିପାରିଥିଲେ । ଚାଲନ୍ତୁନା ! ସମସ୍ତେ ଏକ ମନ ଏକ ପ୍ରାଣରେ “ନିଶିଗନ୍ଧା”ର ପ୍ରତିଟି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହାକୁ ଏକ ଅନନ୍ୟ ଅନୁଷ୍ଠାନରେ ପରିଣତ କରିବାକୁ ଶତତ ଚେଷ୍ଟିତ ହେବା ଓ “ନିଶିଗନ୍ଧା”ର ସୌରଭକୁ ସାରା ଜଗତରେ ବିଞ୍ଚି ଦେବା ଆଉ ତାକୁ ଆଘ୍ରାଣ କରିବାକୁ ସାରା ବିଶ୍ୱ ଚାହିଁ ବସିଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ଆଡଭୋକେଟ ଚିତ୍ତରଞ୍ଜନ ନନ୍ଦ, ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ, ମୁଖ୍ୟ ସମ୍ପାଦିକା ସରସ୍ବତୀ ନାଏକ, ପର୍ଯ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର, ଗଣେଶ ଚନ୍ଦ୍ର ଜେନା, ଅର୍ଚ୍ଚନା ଦାସ, ପୁଷ୍ପଲତା ସାହୁ, ଜ୍ୟୋତିରଂଜନ ଦାସ, ହରିହର ଭୁକ୍ତା, ନୀଳମଣି ଥାପା, ଭଗବାନ ଓତା, ମମତା ସାହୁ, ନିରଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଗଠନ ସମ୍ପାଦିକା ଅନୁସୂୟା ଦେବତା ଧନ୍ୟବାଦ ଅର୍ପଣ କରିବା ପରେ ସମୀକ୍ଷା ବୈଠକର ପରିସମାପ୍ତି ହୋଇଥିଲା ।