ନିର୍ମାଣାଧିନ ରେଳ ଓଭରବ୍ରିଜ୍‌ର ଡାଇଭର୍ସନ ରୋଡ : ୨ ଘଣ୍ଟା ଧରି ଗମନା ଗମନ ଠପ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବଜାରେ ଦେଇ ଯାଇଥିବା ୫୭ ରାଜ୍ୟ ରାଜପଥର ନୂଆବଜାର ଠାରେ ଏକ ରେଳ ଓଭର ବ୍ରିଜ୍ ନିର୍ମାଣ ହେଉଥିବାରୁ ଏହାର ଡାଇଭରସ୍‌ନ ରୋଡ ସଂପୂର୍ଣ୍ଣ ହୋଇନାହିଁ । ବିଶେଷ କରି ରେଳ ଲେଭେଲ କ୍ରସିଂର ପଶ୍ଚିମପଟେ ଥିବା ବଡବଜାରର ପାଳସାହି ଛକଠାରୁ ଦେବୀ ପେଟ୍ରୋଲ ଫିଲିଂ ଷ୍ଟେସନ ପର୍ଯ୍ୟନ୍ତ ଏକ ସ୍ଥାୟୀ ଡାଇଭରସନ ହେବା କଥା । କାରଣ ଓଭରବ୍ରିଜ୍ ନିର୍ମାଣ ପରେ ଏହି ରାସ୍ତାରେ ଅନ୍ୟ ଯାନବାହନ ଗୁଡିକ ଯାତାୟାତ କରିବ । କିନ୍ତୁ ଭୌଗଳିକ ସ୍ଥିତି ଯୋଗୁଁ ତାହା ସଂପୂର୍ଣ୍ଣ ନିର୍ମାଣ ସରିନାହିଁ । ଅସ୍ଥାୟୀଭାବେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ବ୍ଲକା ଟେପିଂ ହେବା କଥା । ୨୦୧୮ ମସିହାରୁ ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି ବ୍ଲକା ଟେପିଂ କାର୍ଯ୍ୟ ନିର୍ମାଣ ହୋଇନାହିଁ । ଫଳରେ ରାସ୍ତାରେ ପାଣି ଜମିବା, ରାସ୍ତା କାଦୁଅ ହେବା ଲକ୍ଷ କରାଯାଉଛି । ଅଳ୍ପଦିନ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ସେଠାରେ ଆନ୍ଦୋଳନ ହୋଇଥିବା ବେଳେ ନିର୍ମାଣ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ପରେ ସେଠାରେ କେବଳ ଗର୍ତ୍ତ ହୋଇଥିବା ସ୍ଥାନରେ ରାବିସ୍ ଓ ମେଟାଲ ପକାଯାଇ ଥିଲା । ପରେ ବର୍ଷା ହେବାରୁ ତାହାପୁଣି ଗର୍ତ୍ତ ସୃଷ୍ଟି ହୋଇଛି । ଆଜି ସାପ୍ତାହିକ ହାଟ ସୋମବାର ଥିବାରୁ ଅଧିକ ଜନଗହଳି ଯୋଗୁଁ ଏହି ଅଣ ଓସାରି ଆରସ୍ତାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଫଳରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଓ ଲୋକମାନଙ୍କୁ ଉଭୟ ପାଶ୍ୱର୍ରେ ଅଟକିବାକୁ ପଡିଥିଲା । ଶେଷରେ ପୁଲିସ୍ ଆସି ସମସ୍ୟାର ସମାଧାନ କରିଥିଲେ । ଏ ସଂପର୍କରେ ସହକାରୀ ଯନ୍ତ୍ରୀ ନିହାରକାନ୍ତି ବେହେରାଙ୍କୁ ପଚାରିବାରୁ ସେ କହିଲେ ଆଜି ସାପ୍ତାହିକ ହାଟ ଥିବାରୁ ଏବଂ କିଛି ସମୟଧରି ବର୍ଷା ଲାଗି ରହିବାରୁ ଆଇସିଆସିଆ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ ଯୋଗୁଁ ରାସ୍ତାରେ ଗମନାଗମନ ସମ୍ଭବ ହୋଇପାରିନଥିଲା । ପୁଲିସ୍ ସହାୟତାରେ ସେ ନିଜେ ରହି ସମାଧାନ କରିଥିଲେ । ଓଭର ବ୍ରିଜ୍‌ର ପିଲାର କାର୍ଯ୍ୟ ଶେଷ ହୋଇଗଲେ ଏଭଳି ପରିସ୍ଥିତି ରହିବ ନାହିଁ ବୋଲି ସେ କହିଛନ୍ତି ।