ନାମ୍ପୋ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଅହରାତ୍ର ଆମରଣ ଅନଶନ ୨ୟ ଦିନରେ : ୨ବୃଦ୍ଧ ଅସୁସ୍ଥ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଉପାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକର ଥିବା ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଅଧିକାଂଶରେ ଡାକ୍ତର ନାହାନ୍ତି । ଖୁଆଡ, ଓଲମରା, ନାମ୍ପୋ, ଛମୌଜ, ଜମାଳପୁରରେ, ଲକ୍ଷ୍ମଣନାଥ, ଶିଖରପୁର ଓ ଜଳେଶ୍ୱର ପୁରୁଣା ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ବର୍ଷରୁ ସ୍ଥାୟୀ ଡାକ୍ତର ନଥିବାରୁ ଗ୍ରାମବାସୀମାନେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ପୂର୍ବ ସୂଚନା ଅନୁଯାୟୀ ଗତକାଲି ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଅହରାତ୍ର ଆମରଣ ଅନସନ ଆରମ୍ଭ ହୋଇଛି । ଖାଲିନା, ସମ୍ପତ୍ତିଆ, ନେତୁଆ, ସୁଗୋ, ବର୍ତ୍ତନା, ବାଇଗଣବାଡିଆ ଆଦି ପଂଚାୟତର ବହୁ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ଦୀର୍ଘ ୧୫ବର୍ଷ ଧରି ଏଠାରେ କେହି ସ୍ଥାୟୀ ଡାକ୍ତର ନ ଥିବାରୁ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବିଜେପିର ନାମ୍ପୋ ଶାଖା ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି । ଗତକାଲି ଅପରାହ୍ନରେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ପ୍ରଭାସଚନ୍ଦ୍ର ନାୟକ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧି ରଂଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ସପ୍ତାହକୁ ୨ଦିନ ଜଣେ ଡାକ୍ତରଙ୍କୁ ପଠାଇବା ଓ ୧ମାସ ପରେ ଡାକ୍ତର ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ସ୍ଥାୟୀ ନିଯୁକ୍ତିି ଦାବିରେ ଅଡି ବସିଥିଲେ । ଅହରାତ୍ର ଆମରଣ ଅନସନରେ ବସିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରୁ ଆଜି ବୁଧବାର ମଧ୍ୟାହ୍ନରେ ସୁଧିର ଭୂୟାଁ(୬୩) ଓ ବିଜୟ ପାତ୍ର(୬୭) ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାଯାଇଛି । ଏହି ଆନ୍ଦୋଳନରେ ନେତୃତ୍ୱ ନେଉଥିବା ଗୋପାଳ ଦତ୍ତ, ସୁମତି ଦେ, ଜଗନ୍ନାଥ ପ୍ରଧାନ, ପ୍ରତାପ ସେନାପତି, ସୋରୂପ ସିଂହ, ହରିଶଚନ୍ଦ୍ର ହୁଇ, ସୁଧିର ଭୂୟାଁ, ଜ୍ୟୋତିବ୍ରହ୍ମ ଦେ, ଜନ୍ମେଜୟ ଚନ୍ଦ, ବିନୟ ଭୂୟାଁ, ଅକ୍ଷୟ ଜେନା, ଦିଲ୍ଲିପ ଦାସ ପ୍ରମୁଖ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସେମାନେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟକୁ କେହି ଆସିନଥିବା କ୍ଷୋଭର ବିଷୟ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା