ନାମ୍ପୋ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର : ନିଯୁକ୍ତି ଲାଗି ଆମରଣ ଅନଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ଜଳେଶ୍ୱର ବ୍ଳକ ଅନ୍ତର୍ଗତ ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ବର୍ଷରୁ ସ୍ଥାୟୀ ଡାକ୍ତର ନଥିବାରୁ ପୂର୍ବ ସୂଚନା ଅନୁଯାୟୀ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଆମରଣ ଅନସନ ଆରମ୍ଭ ହୋଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଖାଲିନା, ସମ୍ପତ୍ତିଆ, ନେତୁଆ, ସୁଗୋ, ବର୍ତ୍ତନା, ବାଇଗଣବାଡିଆ ଆଦି ପଞ୍ଚାୟତର ଲୋକେ ଚିକିତ୍ସିତ ହୋଇଥାନ୍ତି । ଦୀର୍ଘ ୧୫ବର୍ଷ ଧରି ଏଠାରେ କେହି ସ୍ଥାୟୀ ଡାକ୍ତର ନ ଥିବା ବେଳେ ଜନସାଧାରଣ ସ୍ୱାସ୍ଥ୍ୟସେବା ଲାଗି ଡହଳ ବିକଳ ହୋଇଥାନ୍ତି । ଏ ସମ୍ପର୍କରେ ପୂର୍ବରୁ ବହୁ ସଂଗଠନ ଓ ରାଜନୈତିକ ଦଳ ଡାକ୍ତର ନିଯୁକ୍ତି ସଂପର୍କରେ ଉଚ୍ଚ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବିଜେପିର ନାମ୍ପୋ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରୁ ଆମରଣ ଅନଶନ ଆରମ୍ଭ ହୋଇଛି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନରେ ଗୋପାଳ ଦତ୍ତ, ସୁମତି ଦେ, ଜଗନ୍ନାଥ ପ୍ରଧାନ, ପ୍ରତାପ ସେନାପତି, ସୋରୂପ ସିଂହ, ହରିଶଚନ୍ଦ୍ର ହୁଇ, ସୁଧିର ଭୂୟାଁ, ଜ୍ୟୋତିବ୍ରହ୍ମ ଦେ, ଜନ୍ମେଜୟ ଚନ୍ଦ, ବିନୟ ଭୂୟାଁ, ଅକ୍ଷୟ ଜେନା, ଦିଲ୍ଲିପ ଦାସ ପ୍ରମୁଖ ଯୋଗ ଦେଇଛନ୍ତି । ଅପରାହ୍ନରେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ପ୍ରଭାସଚନ୍ଦ୍ର ନାୟକ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧି ରଂଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ସପ୍ତାହକୁ ୨ଦିନ ଜଣେ ଡାକ୍ତରଙ୍କୁ ପଠାଇବା ଓ ୧ମାସ ପରେ ସ୍ଥାନୟୀ ଡାକ୍ତରର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ସ୍ଥାୟୀ ନିଯୁକ୍ତିି ଦିବାରେ ଅଡି ବସିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଖୁଆଡ, ଓଲମରା, ନାମ୍ପୋ, ଛମୌଜ, ଜମାଳପୁରରେ, ଲକ୍ଷ୍ମଣନାଥ, ଶିଖରପୁର ଓ ଜଳେଶ୍ୱର ପୁରୁଣା ଡାକ୍ତରଖାନାରେ ଡାକ୍ତର ନାହାନ୍ତି ।

ରିପୋର୍ଟ : ଭୂପତି ପରିଡା