ନାମ୍ପୋ ପୂର୍ବସାହି ରାସ୍ତା ଏବେବି ଅବହେଳିତ ଅଭିଯୋଗ : ତୁରନ୍ତ ସମାଧାନ କରାନଗଲେ ଆନ୍ଦୋଳନର ଚେତାବନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ଵାଧୀନତାର ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ବହୁ ଗ୍ରାମରେ ରାସ୍ତାର ଅବସ୍ଥା ବହୁତ୍ ଖରାପ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ନାମ୍ପୋ ଗ୍ରାମ ପଞ୍ଚାୟତର ନାମ୍ପୋ ପୂର୍ବସାହି ରାସ୍ତାରେ । ଏବେବି ନେତା ଓ ପ୍ରଶାସନ ଜାଣି ଶୁଣି ଏହି ରାସ୍ତାକୁ ଅବହେଳା କରୁଥିବା ଦୃଷ୍ଟାଣ୍ଟ ଦେଖିବାକୁ ମିଳିଛି । ନାମ୍ପୋ ଗ୍ରାମର ପୂର୍ବ ସାହିରେ ମୋଟ ଘର ସଂଖ୍ୟା ୭୦ରୁ ଉର୍ଦ୍ଧ ଓ ଲୋକସଂଖ୍ୟା ପ୍ରାୟ ୫୦୦ ହେବ । ଏହି ପୂର୍ବ ସାହିରେ ୩ଟି ୱାର୍ଡ଼ ଓ ୨ଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଅଛି । ଏହି ଖରାପ ରାସ୍ତାରେ କୋମଳମତି କୁନି କୁନି ପିଲା ମାନେ ପ୍ରତ୍ୟେକ ଦିନ ଅଙ୍ଗନୱାଡ଼ି କେନ୍ଦ୍ର (ପ୍ରାକ୍ ବିଦ୍ୟାଳୟ)କୁ ପାଠ ପଢ଼ିବାକୁ ଯିବା ଆସିବା କରନ୍ତି । ବର୍ଷା ଦିନରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସେବା କରିବା ପାଇଁ ଲୋକେ ବହୁ ଦୁର୍ଦ୍ଦଶା ଭୋଗୀ ଥାନ୍ତି । କହିବାକୁ ଗଲେ ୭୦ ଘରର ଲୋକ ଦୈନନ୍ଦିନ ଏହି ରାସ୍ତାରେ ସବୁକିଛି କାର୍ଯ୍ୟ କରିଥାନ୍ତି । ମାତ୍ର ଏହି ପୂର୍ବ ସାହି ରାସ୍ତାରେ ସରକାରଙ୍କ ସମସ୍ତ ଯୋଜନା ଫେଲ୍ ମାରିଛି । ଦୀର୍ଘ ୧୭ ବର୍ଷ ହେବ ରାସ୍ତାରେ ଗୋଟିଏ ଝୋଡ଼ା ମାଟି କିମ୍ଵା ବାଲି ପଡ଼ି ନ ଥିବା ଏଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି । ସେମାନେ ଜଳେଶ୍ଵର ବିଡିଓ, ସରପଞ୍ଚ ଓ ବିଧାୟକଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଶୁଣୁ ନାହାନ୍ତି ସେମାନଙ୍କ ଗୁହାରୀ, ସମସ୍ତେ ଜାଣି ମଧ୍ୟ ନ ଜାଣିଲା ପରି ଭୂମିକା କରୁଛନ୍ତି । ଯାହାକି ବର୍ଷା ଦିନରେ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡନ୍ତି । ଏ ବାବଦରେ ଆମେ ନାମ୍ପୋ ସରପଞ୍ଚଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଆମ ଫୋନ୍ କଲ ଗ୍ରହଣ କରି ନ ଥିଲେ । ଆଗାମୀ ଦିନରେ ଏହି ରାସ୍ତା ନ ହେଲେ, ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମର କେଦାର ନାଥ ପରିଡ଼ା, କ୍ଷିତିଶ ଚନ୍ଦ୍ର ଜେନା, ଉପେନ୍ଦ୍ର ନାଥ ପରିଡ଼ା, ଶ୍ରୀକାନ୍ତ ପରିଡ଼ା, ନାରାୟଣ ଚନ୍ଦ୍ର ପରିଡ଼ା, ବ୍ରଜେନ୍ଦ୍ର ପରିଡ଼ା, ଗୌରୀ ଶଙ୍କର ଜେନା, କାର୍ତ୍ତିକ ଦାସ ଓ ଅନାଦି ଜେନା ପ୍ରମୁଖ ବ୍ୟକ୍ତିମାନେ ଚେତାବନୀ ଦେଇଛନ୍ତି । 

ରିପୋର୍ଟ : ଭୂପତି ପରିଡା