ନଭେମ୍ବର ୧ରୁ ଗଞ୍ଜାମରେ ୮ ରାଉଣ୍ଡ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶୀତ ଋତୁରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭର ଆଶଙ୍କା କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପୁଣିଥରେ ଆସନ୍ତା ମାସ ପ୍ରଥମ ସପ୍ତାହରୁ ଜିଲ୍ଲାବାସୀଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍ୱାସ୍ଥ୍ୟ ସ୍କ୍ରିନିଂ କାର୍ଯ୍ୟକ୍ରମ ପାଇଁ ଏକ ସର୍ଭେ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଦଳରେ ଶିକ୍ଷକ, ଅଙ୍ଗନବାଡ଼ି ଏବଂ ଆଶାକର୍ମୀଙ୍କୁ ସ୍ଥାନିତ କରାଯାଇଛି । ଏମାନେ ଘରକୁ ଘର ଯାଇ ପ୍ରତିଟି ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସ୍ଥିତିର ସମୀକ୍ଷା କରିବେ । ଏହାସହ ସର୍ଭେର ପ୍ରମାଣ ସ୍ୱରୂପ ପ୍ରତିଟି ଘରେ ଷ୍ଟିକର ଲଗାଇବେ । ଜିଲ୍ଲା ପ୍ରଶାସନ ଦ୍ୱାରା ‘ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ’ ଅଧୀନରେ ଏହି ସର୍ଭେ କରାଯିବ । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଆସନ୍ତା ମାସର ପ୍ରଥମ ସପ୍ତାହରୁ ମେଗା ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ କୁଲାଙ୍ଗେ ଛୁଟିରେ ଥିବା ବେଳେ ସୋମବାର ବରିଷ୍ଠ ଅଧିକାରୀଙ୍କ ସହ ଅନଲାଇନ୍ ବୈଠକ ବସିଥିଲା । ମେ ୨ରେ ପ୍ରଥମ କୋଭିଡ ମାମଲା ଚିହ୍ନଟ ହେବା ପରଠାରୁ ଜିଲ୍ଲାରେ ୮ ରାଉଣ୍ଡ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସର୍ଭେର ମୂଳ ଆଭିମୁଖ୍ୟ ଲୋକଙ୍କୁ କରୋନା ରୋଗ ବାବଦରେ ସଚେତନ କରିବା ପାଇଁ ଓ ଏହି ରୋଗର ପ୍ରତିରୋଧକ ବିଷୟରେ ଅବଗତ କରାଇବା । କେବଳ ସେତିକି ନୁହେଁ କରୋନା ରୋଗୀ ଚିହ୍ନଟ ସହ ସ୍ୱାସ୍ଥ୍ୟ ଦଳ ଆସ୍ଥମା ଥିବା ରୋଗୀଙ୍କ ସମେତ କିଡନୀ, ଉଚ୍ଚରକ୍ତଚାପ ରୋଗୀଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା