ଧାରଣା ନୋଟିସ ପରେ ନିଜ ଟଙ୍କା ଫେରସ୍ତ ପାଇଲେ ନିର୍ମାଣ ଶ୍ରମିକ…

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ନିର୍ମାଣ ଶ୍ରମିକମାନଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଇଥିଲେ । ବରଗଡ଼ ଜିଲ୍ଲାର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର ୨୦୬ ଜଣ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ରରୁ ଅର୍ଥ ଆସିଥିଲା । ଏପ୍ରିଲ – ମେ ମାସରୁ ନିର୍ମାଣ ଶ୍ରମିକମାନଙ୍କ ଅନୁଦାନ ବଣ୍ଟନ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ୧୧ ହଜାର ୬୫୪ ଜଣ ଶ୍ରମିକ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ । ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହୀ ଗ୍ରାମର ୪୩ ଜଣ ନିର୍ମାଣ କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ସହାୟତା ପାଇବା ପାଇଁ ୨୦ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବା ପାଇଁ ନୋଟିସ୍ ଦେଇଥିଲେ । ଶ୍ରମିକ ମାନଙ୍କ ଠାରୁ ନୋଟିସ ପାଇବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଓ ବ୍ଲକ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ଆଜି ବିଜାଡିହୀ ଗ୍ରାମର ନିର୍ମାଣ ଶ୍ରମିକ ସର୍ବଶ୍ରୀ ଚୁତର୍ଭୁଜ ବରିହା, ଦେବେନ୍ଦ୍ର ରଣା, ହରିବୋଲ ସାହୁ, ଝସ କେତନ ସାହୁ, ଭରତ ସାହୁ, ଅଙ୍ଗଦ ରଣା, ଗୌରୀ ରଣା, ସୀତାରାମ ସାହୁ, ଶ୍ରୀମତୀ ଜୟ କୁମାରୀ ନେଗୀ, ନୁଆଁ ଦେଇ ରଣା, ରାଜେନ୍ଦ୍ର ନେଗୀ, ଭୁବନେଶ୍ୱର ରଣା ଆଦି ୩୦ ଜଣ ନିର୍ମାଣ ଶ୍ରମିକମାନଙ୍କୁ ନଗଦ ୧୫ ଶହ ଟଙ୍କା ଲେଖାଏଁ ପାଇକମାଲ ବ୍ଲକ ଏସଇଓ ରମେଶ ଚନ୍ଦ୍ର ସେଠୀ ପ୍ରଦାନ କରିଥିଲେ । ତେବେ ଜିଲ୍ଲାର ବାକି ଥିବା ୧୧ ହଜାରୁ ଉର୍ଦ୍ଧ୍ଵ ନିର୍ମାଣ ଶ୍ରମିକ କେବେ ସହାୟତା ରାଶି ପାଇବେ ବୋଲି ପ୍ରଶ୍ନ ତିଆରି ହୋଇଛି । 

ରିପୋର୍ଟ : ନିରୋଜ ପାଣି