ଧାନ କିଣାକୁ କେନ୍ଦ୍ର କରି ଚାଷୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଧାନ କିଣାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ସବୁଠି ତେଜୁଛି ଚାଷୀ ଅସନ୍ତୋଷ । ଏନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ, ରାସ୍ତା ଅବରୋଧ କରି ଜନ ଆନ୍ଦୋଳନ ତେଜିଛି । ଗୋଟିଏ ପଟେ ଟାର୍ଗେଟ ନ ଥିବାରୁ ଚାଷୀଙ୍କ ଧାନ କିଣା ଯାଉନଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଛି ଆଉ ଏହାକୁ ନେଇ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାନ କିଣା ଯାଇ ନାହଁ । ତେଣୁ ଆଜି ଧାନ କିଣାର ପ୍ରତିବାଦ କରି ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁରର ରାଜ୍ୟ ସଡକପଥ ଉପରେ ଚାଷୀମାନେ ଘମାଘୋଟ ଭାବେ ବିକ୍ଷୋଭ ପ୍ରଦର୍ଶନ ଆନ୍ଦୋଳନ କରିଥିଲେ । ଶହ ଶହ ଚାଷୀ ଶନିବାର ଦିନ ସାରା ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଜିଲ୍ଲା ସଦରମହକୁମା ଛତ୍ରପୁରରୁ ତାରାତାରିଣୀକୁ ଯାଇଥିବା ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଋଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ଶସ୍ୟଶ୍ୟାମଳା କ୍ଷେତ୍ରରେ ଭରପୂର ଏହି ଅଞ୍ଚଳ ଧାନ ଅମଳ ହୋଇଥିବା ଧାନ ଖଳାରେ ପଡି ରହିଥିବା ବେଳେ ଏବେ ଜମିରେ ଲଙ୍କା ଚାଷ ବାଡ଼ିରେ ମରିଚ ପାଚି ଗଲାଣି । ଅନେକ ଚାଷୀ ମରିଚ ଅମଳ କରି ରଖିଥିଲା ବେଳେ ଏବେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ ଧାନ କିଣା ଯିବା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତେଣୁ ଯଥାଶୀଘ୍ର ଚାଷୀଙ୍କ ଧାନ କିଣା ଯିବା ସମ୍ପର୍କରେ ପ୍ରଶାସନ କର୍ଣ୍ଣପାତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି । ଏହାସହ ମରିଚ ଚାଷୀଙ୍କୁ ମଧ୍ୟ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉ । ନଚେତ ଆନ୍ଦୋଳନ ଲଗାତର ଭାବେ ତିବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।