ଦୋକାନ ଯାଞ୍ଚ ବେଳେ ବାହାରିଲା ଦେଶୀ ବିଦେଶୀ ମଦ : ଦୋକାନ ସିଲ କଲେ ବିଡ଼ିଓ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କରୋନା ପାଇଁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଜିଲ୍ଲାରେ ଶନିବାର ଓ ରବିବାର ୨ଦିନ ସାପ୍ତାହିକ ସଟଡାଉନ୍ ଜାରି ରହିଛି । ଏହି ସମୟରେ ଜନସାଧାରଣ ସଟ୍‌ଡାଉନ୍ ନିୟମ କଡାକଡି ପାଳନ କରିବା ନେଇ ଗତକାଲି ବ୍ଳକର ବିଭିନ୍ନ ଗ୍ରାମକୁ ବୁଲି ତଦାରଖ କରୁଥିଲେ ବିଡ଼ିଓ ଅନୀଲ କୁମାର ସେଠୀ । ଜିଲୁଣ୍ଡି ଗ୍ରାମରେ ଖୋଲାଥିବା ଦୋକାନ ବନ୍ଦ କରିବା ସହ ନିକଟସ୍ଥ ସ୍କୁଲ୍‌ରେ ଚାଲିଥିବା କୋଭିଡ ପରୀକ୍ଷା କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ । ଜିଲୁଣ୍ଡି ଗ୍ରାମ ଭିତରେ ଖୋଲାଥିବା କିଛି ଦୋକାନ ବନ୍ଦ କରିବା ପରେ ମୁଖ୍ୟ ସଡ଼କ କଡ଼ ଖୋଲାଥିବା ଏକ ଦୋକାନରେ ଚଢଉ କରିଥିଲେ । ଚଢଉ ସମୟରେ ଦୋକାନମାଲିକଙ୍କ ସମେତ ସେଠାରେ ଥିବା କିଛି ଲୋକ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳାଇଥିଲେ । ହଠାତ୍ ସମସ୍ତେ ଦୌଡି ପଳାଇଥିବାରୁ ଉପସ୍ଥିତ କର୍ମଚାରୀମାନେ ଘଟଣା ବିଷୟରେ କିଛି ବୁଝି ପାରିନଥିଲେ । ଏହାପରେ ଦୋକାନ ଭିତରେ ଅନୁଧ୍ୟାନ କରି ଦେଖିବା ପରେ ଦୁଇଟି ବ୍ୟାଗରେ ଦେଶୀ ମଦ ରହିଥିବା ସହ କିଛି ବିଦେଶୀ ମଦ ବୋତଲ ରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ବିଡ଼ିଓ ଶ୍ରୀ ସେଠୀ ଦେଶୀ ମଦ ପାଉଚ୍, କିଛି ବିଦେଶୀ ମଦ ବୋତଲ ସହ ଦୋକନରେ ଥିବା ଜର୍ଦ୍ଦା ପୁଡିଆ ମଧ୍ୟ ଜବତ କରିଥିଲେ । ଏହା ପରେ ଉକ୍ତ ଦୋକାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।