ଦିଗପହଣ୍ଡି ବ୍ଲକ ନିର୍ବାଚିତ ପ୍ରତିନିଧି ସଂଘର ବୈଠକ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତକାଲି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କମଳାପୁର ସ୍ଥିତ ଶ୍ରୀ କାଶୀ ବିଶ୍ଵନାଥ ଶୈବ ପୀଠରେ ଦିଗପହଣ୍ଡି ବ୍ଲକ ନିର୍ବାଚିତ ପ୍ରତିନିଧି ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ଵାଇଁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡି, ଦିଗପହଣ୍ଡି ନଗର ବିଜେଡି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ । କୁକୁଡାଖଣ୍ଡି ତହସିଲଦାରଙ୍କୁ ବଦଳି କରିବା ପାଇଁ କୁକୁଡାଖଣ୍ଡି ବ୍ଲକ ନିର୍ବାଚିତ ପ୍ରତିନିଧି ସଂଘ ଯେଉଁ ଦାବୀ ଉଠାଇଛନ୍ତି ଦିଗପହଣ୍ଡି ସଂଘ ତାହାକୁ ପୂର୍ଣ୍ଣ ସମର୍ଥନ ଯୋଗାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏପରିକି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଯଥୋଚିତ ମତକୁ ହେୟଜ୍ଞାନ ପ୍ରଦର୍ଶନ କରି ମନୋମୁଖୀ ନୀତି ଆପଣାଇଥିବା ତହସିଲଦାରଙ୍କ ବଦଳି ଦିଗରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ତୁରନ୍ତ ପଦକ୍ଷେପ ନେବାକୁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା । ସେହିଭଳି ସାଂଗଠନିକ ସ୍ଥିତି ଉପରେ ଆଲୋଚନା ସମୟରେ ବହୁ ପ୍ରତିନିଧି ସେମାନଙ୍କ ପଞ୍ଚାୟତର ସମସ୍ୟା ଉତ୍ଥାପନ କରିବା ସହ ସେମାନଙ୍କ ପଞ୍ଚାୟତ ବାହାରର କିଛି ଲୋକ ବାଚସ୍ପତିଙ୍କ ପାଖଲୋକ ଏବଂ ଦଳୀୟ ପଦପଦବୀରେ ରହିଥିବା ଦାବୀ କରି ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଅଗୋଚରରେ ସମାନ୍ତରାଳ ସଂଗଠନ କରୁଥିବା ଅଭିଯୋଗ କରିଥିଲେ । ଯଦ୍ବାରା ସାଂଗଠନିକ ଅଭିବୃଦ୍ଧି ହେବା ପରିବର୍ତ୍ତେ ବାଚସ୍ପତିଙ୍କ ଜାଣତରେ ଦଳୀୟ ବିଭେଦ ସୃଷ୍ଟି କରାଯାଉଥିବା କ୍ଷୋଭର ସହ ପ୍ରକାଶ କରିଥିଲେ । ବାଚସ୍ପତି ତୁରନ୍ତ ଏହାକୁ ବନ୍ଦ୍ ନକଲେ ଆଗାମୀ ଦିନରେ ବାଚସ୍ପତିଙ୍କ କାର୍ଯ୍ୟକ୍ରମକୁ ସଂଘ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଜଣାପଡିଛି । ଏହି ବୈଠକରେ ପଦ୍ମନାଭପୁର, କଇଠଡା ସରପଞ୍ଚ ଏବଂ କୁଶପଡା, ଜକର, ପଦ୍ମନାଭପୁର, ବାସୁଦେବପୁର ସମିତିସଭ୍ୟଙ୍କୁ ବାଦ୍ ଦେଇ ଅନ୍ୟ ପ୍ରାୟ ସମସ୍ତ ପଞ୍ଚାୟତର କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା