ଦାବି ପୂରଣ ନହେଲେ ନଗର ଚିକିତ୍ସାଳୟ କର୍ମଚାରୀ ଆନ୍ଦୋଳନ କରିବେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟ ଏକ ପୁରାତନ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ସହର ତଥା ସହର ବାହାରୁ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଯୋଗୁଁ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ନଗର ଚିକିତ୍ସାଳୟରେ ବେଡ୍‌ ଅନୁସାରେ ୱାର୍ଡ ଆଟେଣ୍ଡାଣ୍ଟ ନିଯୁକ୍ତି ପାଇଁ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ନଗର ଚିକିତ୍ସାଳୟ ଶାଖାର ଏକ ଜରୁରୀ ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବରୁ ନଗର ଚିକିତ୍ସାଳୟ କ୍ୟାମ୍ପସ ଭିତରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧୭ଟି କ୍ୱାଟର ଥିଲା । ସୌନ୍ଦର୍ଯ୍ୟକରଣ ନାଁରେ ଏସବୁ କ୍ୱାଟରକୁ ଭାଙ୍ଗି ଦିଆଗଲା । ଫଳରେ ସ୍ୱଳ୍ପ ବେତନ ପାଉଥିବା କର୍ମଚାରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ କର୍ମଚାରୀଙ୍କ ପାଇଁ କ୍ୱାଟର ନିର୍ମାଣ କରାଯାଉ । ବରିଷ୍ଠତା ଭିତ୍ତିରେ କର୍ମଚାରୀମାନଙ୍କୁ ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତ କରାଯାଇ ଯୋଗ୍ୟତା ଥିବା କର୍ମଚାରୀଙ୍କୁ ପଦୋନ୍ନତି ଦେଇ ୩ୟ ଶ୍ରେଣୀର ମାନ୍ୟତା ପ୍ରଦାନ କରାଯାଉ, ଜାତୀୟ ଦିବସ, ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ କର୍ମଚାରୀଙ୍କୁ ଦିନକର ଦରମା ଦେବା ପାଇଁ ବହୁ ଦିନରୁ ବିଧି ରହିଛି । ଗତବର୍ଷର ଦରମା ଅଦ୍ୟାବଧି କର୍ମଚାରୀଙ୍କୁ ଦିଆଯାଇନାହିଁ । ତେଣୁ ତୁରନ୍ତ ଏହି ଦରମା ପ୍ରଦାନ କରାଯାଉ । ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘର ସଂପାଦକ ଜି.ନରସିଂହ ରାଓ, ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ସଂଘର କୋଷାଧ୍ୟକ୍ଷ ଟୁନା ଜେନା, କାର୍ଯ୍ୟକାରୀ ସମ୍ପାଦିକା ରେଣୁପି୍ରୟା ପାଢ଼ୀ, ଯୁଗ୍ମ ସମ୍ପାଦକ ବିପିନ ବିହାରୀ ନାୟକ, ଏଲ. ରବିନ୍ଦ୍ର ଦାସ, ବାଳକୃଷ୍ଣ ନାୟକ, ନରସିଂହ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ବୋଲି ଗଞ୍ଜାମ ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘ, ସିଟି ହସ୍ପିଟାଲ, ବ୍ରହ୍ମପୁରର ସମ୍ପାଦକ ଜି.ନରସିଂହ ରାଓ ଜଣାଇଛନ୍ତି ।