ଦାଦନ ଶ୍ରମିକଙ୍କ ପାଇଁ ନବୀନଙ୍କ ଏବେ ଚେତା ପଶିଲା : କରୁଛନ୍ତି ବଡ଼ ବଡ ଯୋଜନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗରିବଙ୍କ ପାଇଁ ମୂଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେବେଳେ ଚିନ୍ତା ପଶିଛି । ସେଇଥିପାଇଁ ଦାଦନ ଶ୍ରମିକ ତଥା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ନବୀନ ସରକାର ଦାଦନ ତଥା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ରାସ୍ତା ଖୋଲୁଥିବା ବେଳେ ଅନ୍ୟପଟରେ ସେମାନଙ୍କ ପେଟକୁ ଦାନା ଓ ହାତକୁ କାମ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି । ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କୋଭିଡ଼ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି । ଫେରୁଥିବା କୌଣସି ଶ୍ରମିକ ଯେମିତି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଏମାନେ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ହୋଇଥାନ୍ତୁ ବା ନ ହୋଇଥାନ୍ତୁ, କୌଣସି ପରିସ୍ଥିତିରେ ବି ଯେମିତି ରାସନ୍ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ତୀକ୍ଷଣ ନଜର ରଖିବାକୁ ଗାଇଡ଼ ଲାଇନ ଜାରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ବର୍ତମାନ୍ କୋଭିଡ-୧୯ ନିୟନ୍ତ୍ରଣ ହେଉଛି ବରିଷ୍ଠ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ୱ । ଗ୍ରାମପଞ୍ଚାୟତ ମାନଙ୍କର ବିକାଶ ଏ ସମୟରେ ପ୍ରମୁଖ କାର୍ଯ୍ୟ ହେବା ଦରକାର । ସେଠାରେ କିଭଳି ଲୋକଙ୍କୁ ଅଧିକରୁ ଅଧିକ ସୁବିଧା ସୁଯୋଗ ମିଳିବ, ତା ଉପରେ ଦୃଷ୍ଟି ଦେବା ଉଚିତ୍ । ଯେଉଁମାନେ ଫେରିବେ, ସେମାନଙ୍କ ସଙ୍ଗରୋଧକୁ ପ୍ରାଥମିକତା ଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଦେଖାଯିବା ଦରକାର । ଏଥିସହ ମନରେଗାରେ ଯେଉଁଭଳି ଦୈନିକ ୫ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଉଥିଲା, ତାହାକୁ ଦୈନିକ ୧୦ଲକ୍ଷକୁ ବୃଦ୍ଧି କରିବା ଲାଗି ନବୀନ ନିର୍ଦେଶ ଦେଇଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଯେହେତୁ ବହୁ ପରିମାଣରେ ବଢିବ, ଏଣୁ ନମୁନା ପରୀକ୍ଷଣକୁ ମଧ୍ୟ ଗୁରୁତ୍ବ ମିଳିବା ଦରକାର । ଆଇସିଏମଆର ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଘରୋଇ ମେଡିକାଲ ପରୀକ୍ଷାଗାରକୁ ସାମିଲ କରି ନମୁନା ପରୀକ୍ଷାକୁ ୧୫ହଜାରକୁ ବୃଦ୍ଧି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନବୀନ ନିର୍ଦେଶ ଦେଇଥିଲେ । ଏହି ଆଲୋଚନାରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପୋଲିସ ମହାନିର୍ଦେଶକ, ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ ।

ରିପୋର୍ଟ : ହରପ୍ରସାଦ ବିଷୋୟୀ