ଦରଦାମ ନିୟନ୍ତ୍ରଣ ଓ ସରକାରୀ ଉଦାସୀନତା

୨୦୨୩ ଫେବୃଆରୀ ୧୫ରୁ ୨୬ ପର୍ଯ୍ୟନ୍ତ ଆଦିବାସୀ ମେଳା ହୋଇଥିଲା ଆଦିବାସୀ ପଡିଆ,ଭୁବନେଶ୍ୱରରେ ।ଏହି ମେଳାକୁ ଲୋକ ଆସନ୍ତି ଖାସକରି ଆଦିବାସୀ ଅଞ୍ଚଳରେ ଉପଲବ୍ଧ ବିଭିନ୍ନ ପ୍ରକାର ବନଜାତ,ପ୍ରାକୃତିକ ତଥା ଜୈବିକ ଖାଦ୍ୟପଦାର୍ଥ ଓ ଘରକରଣା ଜିନିଷ ସଂଗ୍ରହ ସକାଶେ ।ଫୁଲଝାଡୁ ଏହି ମେଳା ଫେରନ୍ତା କାହା ହାତରେ ନଥିବ,ତାହା ଖୁବ୍ କ୍ଵଚିତ,ଏହା ବ୍ୟତୀତ କନ୍ଧମାଳ ବିଖ୍ୟାତ ହଳଦୀ,ଅଦା,ସୋରିଷ,ପେଶୁ,ସୁଆଁ,ଜହ୍ନା,ମକା,ବାଜରା,ମାଣ୍ଡିଆ,ନିମ୍ବ ତେଲ,କରଞ୍ଜ ତେଲ,କୁସୁମ ତେଲ ଓ ବିଭିନ୍ନ ଔଷଧୀୟ ଚେରମୂଳି ସଂଗ୍ରହ ହେଲା ମୁଖ୍ୟ।ଏଥର ମୁଁ ମଧ୍ୟ କେଜିଏ କନ୍ଧମାଳ ଅଦା ଓ ଅନ୍ୟାନ୍ୟ କିଛି ଜିନିଷ କିଣି ଆଣିଥିଲି ।ସେ ଅଦାଟା ଆମର ଏଠାରେ ମିଳୁଥିବା ଅଦାଠାରୁ ଛୋଟ ଓ କିଛି ଅଲଗା ଦେଖିବାକୁ,ତା’ର ବାସ୍ନା ମଧ୍ୟ ଭିନ୍ନ,ସେଇଥିପାଇଁ ଆଣିବା କଥା ।କାହିଁକି ବଜାରରେଉପଲବ୍ଧ ଅଦା,ଅଧିକ ବ୍ୟବହାର କଲେ ମଧ୍ୟ କିଛି ଗନ୍ଧ/ବାସ୍ନା ଜଣା ପଡେନା,ମାତ୍ର ଉକ୍ତ କନ୍ଧମାଳ ଅଦା କିଛି ବ୍ୟତିକ୍ରମ !ସିଏ ପୁଣି କେଜି ଟ୫୦/-ରେ ଆଣିଥିଲି,କିନ୍ତୁ ବର୍ତ୍ତମାନ ଅଦା ଦରରେ ଯେପରି ନିଆଁ ଲାଗିଯାଇଛି ।ଅଧୁନା ବଜାରରେ ଅଦା କେଜି ଟ୨୫୦/-, ଆହୁରି ବଢିପାରେ,ବେପାରୀ କହୁଛନ୍ତି,ସତକଥା,କାରଣ,କନ୍ଧମାଳରେ ଅଦା କେଜି ୩୦୦/ ବୋଲି ସମ୍ବାଦପତ୍ରରେ ପ୍ରକାଶିତ,ତାହେଲେ ଏଠିତ ନିଶ୍ଚୟ ଅଧିକା ରହିବ। ଅତଏବ ବର୍ତ୍ତମାନ ଦର ଭଲ ଅଛି କହିବାକୁ ହେବ ।ଆମ ରାଜ୍ୟ ତଥା ଦେଶରେ ପ୍ରାୟ ସବୁପ୍ରକାର ତରକାରୀ ଓ ଡାଲିଜାତୀୟ ଖାଦ୍ୟ ପଦାର୍ଥରେ ଅଦା ଏକ ଅପରିହାର୍ଯ୍ୟ ଅଙ୍ଗ,ପୁନଶ୍ଚ ଆଜିକାର ସ୍ବାସ୍ଥ୍ୟ ସଚେତନ ସମାଜରେ ଚା,କାଢା,ପାଚନ ପାଣି ଇତ୍ୟାଦି ବିଭିନ୍ନପ୍ରକାର ପାନୀୟରେ ମଧ୍ୟ ଅଦା ଏକ ଅବଶ୍ୟମ୍ଭାବୀ। ମାତ୍ର ଏପ୍ରକାର ଦରବୃଦ୍ଧିପରେ ଗ୍ରାହକ ଖର୍ଚ୍ଚ କମାଇବାକୁ ବାଧ୍ୟ,ଅଧକେଜିଏ ସ୍ଥଳେ ୨୦୦ଗ୍ରା ଓ ୨୫୦ ସ୍ଥଳେ ୫୦ଗ୍ରାମରେ କାମ ଚଳାଇବାକୁ ପଡୁଛି ।ଅଦାର ଏପ୍ରକାର ଅହେତୁକ ଦର ବୃଦ୍ଧିର କାରଣ ଅଭାବୀ ବିକ୍ରୀ,ଆମ ରାଜ୍ୟରେ ପ୍ରଚୁର ଅଦା ଉତ୍ପନ୍ନ ହେଉଛି। ରାଜ୍ୟରେ ମୋଟ ୪୮,୦୦୦ ମେଟ୍ରିକ୍ ଟନ୍ ଅଦା ଅମଳ ହେଉଛି ବାର୍ଷିକ କେବଳ କୋରାପୁଟ ଜିଲ୍ଲାରେ,୩୫,୦୦୦ ମେଟ୍ରିକ ଟନ କନ୍ଧମାଳ ଜିଲ୍ଲାରେ ପୁଣି ଅବଶିଷ୍ଟ ରାଜ୍ୟର ଅମଳ ଅଛି ମାତ୍ର ଅମଳ ପରବର୍ତ୍ତୀ ସଂରକ୍ଷଣ ନିମନ୍ତେ ଆମର ନାଁ ଅଛି ଶୀତଳଭଣ୍ଡାର,ନାଁ ଅଛି ପ୍ରକ୍ରୀୟାକରଣ ପ୍ରଣାଳୀ,ନାଁ ଅଛି ବିକ୍ରିବଟା ସକାଶେ ସ୍ବତନ୍ତ୍ର ବଜାର ବା ମଣ୍ଡି,ଯେମିତି ଧାନ ଓ ମାଣ୍ଡିଆ କ୍ଷେତ୍ରରେ ଅଛି ।ତେଣୁ ଅମଳ ହେବା ପରେ ପରେ ଚାଷୀ ଭୟରେ ଫସଲକୁ ଅଭାବୀ ବିକ୍ରୀରେ ଦେବାକୁ ବାଧ୍ୟ ହେଉଛି ।ଅଦା ଖାଲିରେ ରଖିଲେ,ଶୁଖିଯିବ ଫିମ୍ପି ଲାଗିବାର ଭୟ ଅଛି, ତେଣୁ ଅମଳ ହେଲା ପରେ କୌଣସିପ୍ରକାର ଵିପଦ ନମୁଣ୍ଡେଇ କେଜି ୨୦/୨୫ ଟଙ୍କାରେ ପଡୋଶୀ ରାଜ୍ୟ ବ୍ୟବସାୟୀଙ୍କ ହାତରେ ଟେକି ଦେଉଛି ।ସେମାନେ ତାକୁ ନେଇ ତାଙ୍କ ରାଜ୍ୟରେ ଶୀତଳଭଣ୍ଡାରରେ ରଖିଦେଉଛନ୍ତି,ସୁବିଧା ସମୟ- ରେ ତାକୁ ବଜାରରେ ବହୁ ଅଧିକ ଦରରେ ବିକ୍ରୀକରି ବହୁତ ଫାଇଦା ପାଉଛନ୍ତି । ସେତିକି ନୁହେଁ ଅଦାକୁ ପ୍ରକ୍ରୀୟାକରଣ କରି ତାକୁ ସୁଣ୍ଠିରେ ପରିଣତ କରି ତାକୁ ଆୟୁର୍ବେଦୀୟ ଗୁଣଗ୍ରାମଯୁକ୍ତ କହି ବହୁ ଅଧିକ ଦରରେ ବିକ୍ରୀ କରୁଛନ୍ତି।ଏମିତିକି ସ୍ଥଳ- ବିଶେଷରେ କେଜିପ୍ରତି ଟ୧,୦୦୦/- ରେ ମଧ୍ୟ ବିକ୍ରୀ ହେଉଛି,ତା’ପରେ ସୁଣ୍ଠିଗୁଣ୍ଡ ମଧ୍ୟ ଅଛି ।ଅଦା ଅପେକ୍ଷା ସୁଣ୍ଠି ବିଭିନ୍ନ ପେଟରୋଗ ଯଥା:-ଵଦହଜମୀ,ଆମ୍ବିଳା ହାକୁଟି,ଗ୍ୟାସ୍, ପେଟ ଫାମ୍ପିବା ପ୍ରଭୃତି ନିମନ୍ତେ ଅତ୍ୟନ୍ତ ଉପାଦେୟ।ଏହାବ୍ୟତୀତ କଞ୍ଚା ଅଦାରୁ ସରୁ ସରୁ ଚିପସ୍ ଲୁଣ ମିଶାଯାଇ ଭଜା ହୋଇଥିବ,ଏହା ମଧ୍ୟ ବଜାରରେ ସୌଖୀନ ଖାଦ୍ୟ ସହାୟକ ଭାଵେ ଉପଲବ୍ଧ ଯାହା ପ୍ରକ୍ରୀୟାକରଣଦ୍ଵାରା ହୋଇପାରିବ ।ମାତ୍ର ଆମ ରାଜ୍ୟରେ ଏତେ ପରିମାଣର ଅଦା ଉତ୍ପାଦନ ହେଉଥିଲେ ମଧ୍ୟ କୌଣସିପ୍ରକାର ପ୍ରକ୍ରୀୟାକରଣ କଥା ସରକାର କେବେ ଚିନ୍ତା କରିନାହାନ୍ତି,ଶୀତଳଭଣ୍ଡାର ତ ମୂଳରୁ ନାହିଁ,ପ୍ରକ୍ରୀୟାକରଣ କଥା ପଚାରେ କିଏ ?ସେମିତି ଅଦାର ସର୍ବନିମ୍ନ ବଜାର ଦର ନିର୍ଦ୍ଧାରଣ ନିମନ୍ତେ ଚାଷୀ ଯେତେ ପାଟି କଲେ ମଧ୍ୟ ଫଳ ଘର ଶୂନ୍ୟ,ସମସ୍ତେ ଏ ଦିଗରେ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଉଛନ୍ତି,ମାତ୍ର କାର୍ଯୌ ନାସ୍ତୈବ ନାସ୍ତୈବ।ଭାରତୀୟ ମସଲା ଓ ଔଷଧୀୟ ବଜାରରେ ଅଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି,କାରଣ ଭାରତୀୟ ମୁଖ୍ୟ ଖାଦ୍ୟ,ସାଧା ବା ଆମିଷ,ଜଳଖିଆ, ପାନୀୟ,ସ୍ନାକସ୍,ଆଚାର ସବୁଥିରେ ଅଦା ଏକାନ୍ତ ଜରୁରୀ ।କାରଣ ତଟକା ଅଦାରେ “ଜିଞ୍ଜରଲ” ନାମକ ଏକ ପଦାର୍ଥ ଥାଏ ଯାହା ହଜମକାରକ,ଯନ୍ତ୍ରଣା ଉପଶମକାରୀ,ଥଣ୍ଡା, କାଶ,ଶର୍ଦ୍ଦି,ଛିଙ୍କ ଓ ଗଳାରୋଗ ଉପଶମକାରୀ,ଚର୍ମର ଉଜ୍ୱଳତା ବୃଦ୍ଧି କରେ,ମସ୍ତିଷ୍କ ସୁସ୍ଥ ରଖିବାରେ ସାହାଯ୍ୟ କରେ,ସର୍ବୋପରି କ୍ୟାନସରଭଳି ଦୂରାରୋଗ୍ୟର ଉପଶମକାରୀ । ଔଷଧ ଓ କସମେଟିକ୍ସ ଶିଳ୍ପରେ ଅଦାର ବ୍ୟବହାର ବହୁଳ ।ଏତେପ୍ରକାର କାର୍ଯ୍ୟରେ ଆସୁଥିବା ଅଦା କିନ୍ତୁ ଗାଁ କନିଆଁ ହୋଇ ରହିଯାଇଛି, କାରଣ ଏହା ଆମ ରାଜ୍ୟରେ ସୁଲଭ, ସୁବିଧା‌ରେ ମିଳୁଥିବା ଜିନିଷର ଆଦର ନଥାଏ !କିନ୍ତୁ ଆମ ରାଜ୍ୟର ଅଦା ସର୍ବୋତ୍କୃଷ୍ଟ କାରଣ ଏହା ଜୈବିକ ପ୍ରଣାଳୀରେ ଚାଷ କରାଯାଇଥାଏ,ଯାହା ଅନ୍ୟ ରାଜ୍ୟରେ ବିଭିନ୍ନ ରାସାୟନିକ ସାର ଦେଇ ଚାଷ କରାଯାଉଛି,ଯଥା:- ଆନ୍ଧ୍ର ଓ କର୍ଣ୍ଣାଟକ ।କିନ୍ତୁ କଥା ହେଲା ସେ ଅଦା ଆମ ଅଦାଠୁ ଶସ୍ତା ହେଲେ,ଏହାକୁ(ଆମର ଅଦା)କିଣିବ କିଏ ?ଏହା ମଧ୍ୟ ଓଡ଼ିଶାର ଉତ୍ତମ ମାନର ଅଦାର ଅଭାବୀ ବିକ୍ରୀର ଅନ୍ୟତମ କାରଣ ।କଥାରେ ଅଛି ରାଜ୍ୟର ଭଲମନ୍ଦ ରାଜା ମୁଣ୍ଡରେ,ସେହିହେତୁରୁ ଅଦାର ଅଭାବୀ ବିକ୍ରି ସକାଶେ ସରକାର ଦାୟୀ,ପ୍ରତ୍ୟକ୍ଷ ନହେଲେ ମଧ୍ୟ ପରୋକ୍ଷ ଭାବରେ ।କାରଣଭାଵେ
କୁହାଯାଇପାରେ ଆମ ରାଜ୍ୟରେ ଶୀତଳଭଣ୍ଡାରର ଉତ୍ତମ ବ୍ୟବସ୍ଥା ନାହିଁ କହିଲେ ଚଳେ। ପ୍ରକ୍ରୀୟାକରଣ ୟୁନିଟର ଘୋର ଅଭାବ,ବିକ୍ରିବଟା ନିମନ୍ତେ ସ୍ବତନ୍ତ୍ର ବଜାର ବା ମଣ୍ଡି ନାହିଁ । ସର୍ବୋପରି କେତେକ ଅମଳ ସକାଶେ ସର୍ବନିମ୍ନ ବଜାର ଦର ନିର୍ଦ୍ଧାରଣ ହୋଇ ନାହିଁ,ଏସବୁ ରାଜ୍ୟରେ ଏତେ ପରିମାଣରେ ଉତ୍ପାଦିତ ଉତ୍କୃଷ୍ଟ ଅଦାର ଅଭାବୀ ବିକ୍ରୀର କାରଣ । କୋରାପୁଟରେ ଶୀଘ୍ର ଅଦା ପ୍ରକ୍ରିୟାକରଣ ୟୁନିଟ ଖୋଲିବ,ଅଦା ଚାଷୀଙ୍କ ଦୁଃଖ ଯିବ ଶୁଣି ଶୁଣି ଚାଷୀ ୪/୫ବର୍ଷ ବିତାଇ ସାରିଲେଣି।କୋରାପୁଟର ପଟାଙ୍ଗୀ,ସିମିଳିଗୁଡା,ଲମତାପୁଟ ନନ୍ଦପୁର ଆଦି ଅଞ୍ଚଳର ହଜାର ହଜାର ଚାଷୀ ଶହ ଶହ ହେକ୍ଟରରରେ ହଜାର ହଜାର କ୍ଵିଣ୍ଟାଲ,ଅଦା ଅମଳ କରି ମଧ୍ୟ ତାଙ୍କ ମୁହଁରେ ହସ ନାହିଁ,କାରଣ ପଡୋଶୀ ରାଜ୍ୟ ବେପାରୀଙ୍କୁ ଶାଗ ମାଛ ଦରରେ ଟେକିଦେବାକୁ ବାଧ୍ୟ,ଖାଉଟି ମଧ୍ୟ ହନ୍ତସନ୍ତ ।ଅଦାଚାଷୀଙ୍କ ପ୍ରତିଶତ ୩୪ରୁ କମି ହେଲାଣି ୧୪,କାରଣ ଚାଷୀ ଅଦା ବିହନ କେଜି ଟ୧୦୦/-ର କିଣି ୮ ମାସ କାଳ ଆକ୍ରାନ୍ତ ପରିଶ୍ରମ କରି ବିକିଲାବେଳକୁ ଅତିବେଶୀରେ ଟ୨୦/- କେଜି । ଗତବର୍ଷ କେଜି ଟ୫-୧୦/- ମଧ୍ୟରେ ଥିଲା ଅଦାଦର,ଏଥିରେ ଅଦାଚାଷ ପ୍ରତି ଚାଷୀ ଆଗ୍ରହ ଦେଖାଇବେ କିପରି ?ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ମଧ୍ୟ ଅବସ୍ଥା ଏକାପରି, ଅଦିନିଆ ବର୍ଷା ସତ୍ତ୍ୱେ ପାଖାପାଖି ୩,୫୦୦ ମେଟ୍ରିକ ଟନ ଅଦା ଉତ୍ପନ୍ନ ହୋଇଥିଲା,ମାତ୍ର କୌଣସି ପ୍ରକାର ସୁବିଧା ବ୍ୟତିରେକେ କିଲୋ ପିଛା ୨୦ରୁ ୨୫ ଟଙ୍କା ଦରରେ ବିକ୍ରୀ କରିଥିଲେ ବାଧ୍ୟ ହୋଇ।ଫଳରେ ଫେବୃଆରୀ-ମାର୍ଚ୍ଚ ବେଳକୁ କନ୍ଧମାଳରେ ଏବେ ଅଦାର ଘୋର ଅଭାବ, ସେଠାରେ ମଧ୍ୟ କେଜି ଟ୩୦୦/- ।ଅମଳ ସ୍ଥାନରେ ଯେତେବେଳେ ପରିସ୍ଥିତି ଏପରି
ଅବଶିଷ୍ଟ ରାଜ୍ୟ କଥା କାହିଁକି କହିବା !କନ୍ଧମାଳ,କୋରାପୁଟ ଜିଲ୍ଲାର ଶୀତଳ ଜଳବାୟୁ ଓ ପାହାଡିଆ ମାଳଭୁମି ଅଦା ଚାଷ ପାଇଁ ବେଶ ଉପଯୋଗୀ,ମାତ୍ର ଏଭଳି ପ୍ରତିକୂଳ ପରିସ୍ଥିତିରେ ଉତ୍କୃଷ୍ଟମାନର ଅଦା ଚାଷ କେତେଦିନ ପର୍ଯ୍ୟନ୍ତ ଅବ୍ୟାହତ ରହିପାରିବ ତାହା ଏକ ବଡ଼ ପ୍ରଶ୍ନ !ଅଦା ଚାଷୀଙ୍କ ଦୁଃଖ ବୁଝିଵ କିଏ ? ରାଜ୍ୟ ସରକାର ଅନେକ ବର୍ଷହେଲା ଶୀତଳଭଣ୍ଡାର ନିର୍ମାଣ/ପ୍ରତିଷ୍ଠା କଥା କହି ଆସୁଛନ୍ତି,ବାସ୍ତବରେ ନୁହେଁ।ଥରେ କହିଲେ ୨୫ଟନ କ୍ଷମତାବିଶିଷ୍ଟ ୧୧୦ଟିଶୀତଳଭଣ୍ଡାର କରିବେ,ପରେ ଏ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଲା,ତା’ପରେ ୧୧୨କୁ ଆସିଲା,ମାତ୍ର ଆଜି ସୁଦ୍ଧା ଗୋଟିଏ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ,ବିଧାନସଭାରେ କୃଷିମନ୍ତ୍ରୀ ସ୍ବୀକାର କରିଛନ୍ତି ଅଦ୍ୟାବଧି ରାଜ୍ୟରେ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି,ଯାହା ଚାହିଦାର ମାତ୍ର ୧.୯% ଏବେ ସରକାର ପୁଣି କହିଛନ୍ତି ପ୍ରତି ବ୍ଲକରେ ସୌର ଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରିବେ,ଦେଖାଯାଉ କେବେ ଏସବୁ ସତ ହେଉଛି ।ଘରୋଇଭାବେ ଶୀତଳଭଣ୍ଡାର ପ୍ରତିଷ୍ଠା କଲେ ପ୍ରଥମେ ପୁଞ୍ଜି ଖଟାଇଵ,ପରେ ସବ୍ସିଡି ମିଳିବ,ଏହେତୁରୁ ଏଦିଗରେ ଚାଷୀ ବୀତସ୍ପୃହ
ତା’ପରେ ଆମରାଜ୍ୟର ଚାଷୀ ଏତେ ଧନୀ ନୁହେଁଯେ ଶୀତଳଭଣ୍ଡାରରେ ପଇସା ଲଗାଇବ ସରକାର ଏତେ ପ୍ରକାର ଯୋଜନା ନାମରେ ହଜାର ହଜାର କୋଟି ଖର୍ଚ୍ଚ କରୁଛନ୍ତି,ଶୀତଳ ଭଣ୍ଡାର କେତେଟା କ’ଣ କରିପାରନ୍ତେନି !୨୦୧୫ ମସିହାରେ ରାଜ୍ୟ ସରକାର ଆଳୁରେ ଆତ୍ମନିର୍ଭରଶୀଳ ହେବା ସକାଶେ ଆଳୁ ମିଶନ ଆରମ୍ଭ କଲେ ଯେ ଫଳଘର ଆଳୁ ହେଲା।୨୦୧୬ରେ ସେମିତି ପିଆଜ ମିଶନ ଆରମ୍ଭ କଲେ ତାହା ମଧ୍ୟ ବିଫଳ ହେଲା,ଏବେ ଗତ ୨୦୨୨ରେ ଯଦି ଆମ ଚାହିଦାଠୁ ଯଥେଷ୍ଟ ଅଧିକ ପିଆଜ ଉତ୍ପନ୍ନ ହୋଇଥିଲା(ଅବଶ୍ୟ ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରୀର ସମ୍ମୁଖୀନ ହୋଇଥିଲା)ସେତେବେଳେ କାହିଁକି ସମ୍ଭବ ହୋଇନଥିଲା ? ରାଜ୍ୟ ସରକାରଙ୍କଦ୍ଵାରା ଆରମ୍ଭ କରାଯାଇଥିବା ଏକମାତ୍ର ସଫଳ ମିଶନ ହେଲା ବାଜରା ବା ମିଲେଟ ମିଶନ ।ମଝିରେ ସରକାର ପଣସ ମିଶନ ଆରମ୍ଭ କରି ଥିଲେ,ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ,କାରଣ ଆମ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା- ଗୁଡିକରେ ପ୍ରଚୁର ପରିମାଣରେ ପଣସ ଉତ୍ପାଦନ ହେଉଛି,ଯାହାକୁ ପଡୋଶୀ ରାଜ୍ୟର ବେପାରୀ ଏମିତିକି ସୁଦୂର ମହାରାଷ୍ଟ୍ରର ବେପାରୀମାନେ ନାମମାତ୍ର ମୂଲ୍ୟରେ,ଟ୨-୫/-ରେ କିଣି ନେଉଛନ୍ତି ଏବଂ ସେଠାରେ ଟ୫୦-୭୦/- ବିକୁଛନ୍ତି ଗୋଟାପ୍ରତି ।ଆମରାଜ୍ୟରେ ଶୀତଳଭଣ୍ଡାର,ପ୍ରକ୍ରୀୟାକରଣ ୟୁନିଟ,ମଣ୍ଡି ଇତ୍ୟାଦି ଅଭାବର ଫାଇଦା ନେଉଛନ୍ତି ଅନ୍ୟ ରାଜ୍ୟର ବ୍ୟବସାୟୀ ।ସେହିଭଳି ଆମ ରାଜ୍ୟରେ ପ୍ରଚୁର ପରିମାଣରେ ଆମ୍ବ,ସପୁରୀଆଦି ଫଳ ଉତ୍ପନ୍ନ ହେଉଛି ଓ ଅଭାବୀ ବିକ୍ରୀର ସାମ୍ନା କରୁଛି ।ଅନ୍ତତଃ ପ୍ରକ୍ରୀୟାକରଣ ୟୁନିଟ ସ୍ଥାପିତ ହୋଇପାରିଲେ ଏଥିରୁ ଚାଷୀ ଯଥେଷ୍ଟ ଲାଭବାନ ହୋଇପାରନ୍ତେ,କାରଣ ଆଜି କାଲି ଏସବୁ ଫଳରୁ ବିଭିନ୍ନ ପ୍ରକାର ଜାମ୍,ଜେଲି,ସସ୍,ସ୍କାସ୍,ଆଚାର,ଚିପସ୍,ଚକୋଲେଟ, ଆଇସକ୍ରିମ,ପାଉଡର ଇତ୍ୟାଦି ପ୍ରସ୍ତୁତ ହୋଇପାରୁଛି ।ପଣସ ମଞ୍ଜିରୁ ପ୍ରସ୍ତୁତ ଅଟା(କେଜି ଟ୪୦୦/-)ବହୁମୂତ୍ର ରୋଗୀଙ୍କ ନିମନ୍ତେ ବରଦାନ ସଦୃଶ,ରାଜ୍ୟ ସରକାର ଯେ ଏଦିଗରେ କାର୍ଯ୍ୟ ଆରମ୍ଭ କଲେଣି ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଚଳିତ ମେ ୩୧ର ସମ୍ବାଦାନୁଯାୟୀ ଆମ ରାଜ୍ୟ ଛତୁ ଉତ୍ପାଦନରେ ପ୍ରଥମ,ବାଇଗଣ ବନ୍ଧାକୋବି,ପଣସରେ ଦ୍ଵିତୀୟ,ତରଭୁଜ,ନଡ଼ିଆ,ଟମାଟୋରେ ପଞ୍ଚମ,ଫୁଲକୋବିରେ ଷଷ୍ଠ ଇତ୍ୟାଦି ।ଏସବୁ କେତେଦୂର ସତ୍ୟ ପ୍ରଣିଧାନଯୋଗ୍ୟ,କାରଣ ଆମେ ଯେତେ ଵାହା- ସ୍ପୋଟ ମାରିଲେ ମଧ୍ୟ ପଡୋଶୀ ରାଜ୍ୟରୁ ଟ୍ରକ୍ ନପହଞ୍ଚିଲେ ଆମ ଚୁଲି ଜଳେନା,ଏହା ଚନ୍ଦ୍ର ସୂର୍ଯ୍ୟଭଳି ସତ୍ୟ ।ଆମେ ଯେ କୃଷିରେ ଉନ୍ନତି କରିନାହେଁ ଏମନ୍ତ ନୁହେଁ,ମାତ୍ର ସରକାରଙ୍କ ହଜାରେ ଯୋଜନା ସତ୍ତ୍ୱେ ଚାଷୀ,ଚାଷରୁ ମୁହଁ ମୋଡୁଛି,ଏଥିପାଇଁ ତ୍ରୁଟିପୂର୍ଣ୍ଣ ଯୋଜନା ହିଁ ଦାୟୀ ।ଗୋଟିଏ କଥା କହିବି,ଲେମ୍ବୁ ଉତ୍ପାଦନରେ କେବେ ବି ଆମ ରାଜ୍ୟ ସ୍ବାବଲମ୍ବୀ ନଥିଲା,କି ଏବେ ମଧ୍ୟ ନାହିଁ,ଗତ ଏପ୍ରିଲ ୨୦୨୨ରେ ଯେତେବେଳେ ତତ୍କାଳୀନ ମନ୍ତ୍ରୀ କହିଦେଲେ ଆମ ରାଜ୍ୟ ଲେମ୍ବୁ ଉତ୍ପାଦନରେ ପ୍ରଥମ,ହଠାତ୍ ଗୋଟା ଟ୨/-ରେ ମିଳୁଥିବା ବଡ଼ ଲେମ୍ବୁ ଛାଡ ସାଧାରଣ ଛୋଟ ଲେମ୍ବୁ ମଧ୍ୟ ଗୋଟା ଟ୧୦/- ହୋଇଗଲା,ଲେମ୍ବୁ ସମ୍ପୃକ୍ତ ଯେତେ ବେପାର ଠପ୍ ହୋଇଗଲା ।
ଲେଖକ : ଜୟନ୍ତ ପଟ୍ଟନାୟକ, ଜୟପୁର