ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ସମେତ ବ୍ରହ୍ମପୁର ରେଲୱେ ଷ୍ଟେସନକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦାବିପତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ସର୍ବ ପୁରାତନ ପ୍ରମୁଖ ରେଳ ଷ୍ଟେସନ ବ୍ରହ୍ମପୁରର ବିକାଶ ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶର ଦାବିକୁ ରେଲ ବଜେଟରେ ସାମିଲ କରିବା ପାଇଁ ‘ଓଡ଼ିଶା ଡେଭଲପମେଣ୍ଟ ଫୋରମ୍’ ପକ୍ଷରୁ କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଏହି ଦାବିପତ୍ରରେ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁର ଷ୍ଟେସନ ବା ବ୍ରହ୍ମପୁର ପାଖରେ ଥିବା ସୋରଳ ବା ଜଗନ୍ନାଥପୁରରେ ରେଳ ଗାଡି ରହିବା ଓ ଛାଡ଼ିବା ପାଇଁ ୱାସିଙ୍ଗ ଓ ଟର୍ମିନାଲ କଂପ୍ଲେକ୍ସର ନିର୍ମାଣ, ୧୦୦ ବର୍ଷ ପୁରୁଣା ଷ୍ଟେସନ କୋଠାର ସର୍ବାଙ୍ଗୀନ ବିକାଶ, ୫-୬ ନମ୍ବର ପ୍ଲାଟଫର୍ମର ନିର୍ମାଣ, ଲିଫ୍ଟ, କୋଚ ପୋଜିସନ ଡ଼ିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବାର ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମରେ ଓ ଷ୍ଟେସନ ବାହାରେ ଶୌଚାଳୟ, ବ୍ରେଷ୍ଟ ଫିଡିଙ୍ଗ ଘର, ବିଶ୍ୱସ୍ତରୀୟ ଷ୍ଟେସନ କୋଠା ସହ ଭୁବନେଶ୍ୱରରୁ ବ୍ରହ୍ମପୁର, ରାୟଗଡା ଓ ଦକ୍ଷିଣ ଓଡ଼ିଶା ଦେଇ ଗୋଟିଏ ରାଜଧାନୀ ଟ୍ରେନ ନୂଆଦିଲ୍ଲୀକୁ ଚଳାଇବା ଓ ଲୋକାଲ ଟିକେଟ ବିକ୍ରି ମେସିନ ଶୀଘ୍ର ଖୋଲିବା ପାଇଁ ଦାବି କରାଯାଇଥିଲା । ଏହା ସହ ବହୁ ପ୍ରତିକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ- ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର-ମାଲକାନଗିରି ଓ ମାଲକାନଗିରି- ନବରଙ୍ଗପୁର ରେଳପଥ ଓ ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବାକୁ ଦାବି କରାଯାଇଥିଲା । ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଓ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀରେ ଅଟକି ଯାଉଥିବା ଅନେକ ଟ୍ରେନକୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରାଯାଇ ଥିଲା । ଏଥତ ବ୍ୟତୀତ ଦକ୍ଷିଣ ଓଡ଼ିଶାର ଇଷ୍ଟଦେବୀ ମା’ ତାର ତାରିଣୀ କିମ୍ବା ବରପୁତ୍ର ଯଥା ଉପେନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ଚକରା ବିଶୋଇ, ଲକ୍ଷ୍ମଣ ନାୟକ ନାଁରେ ଦୂରଗାମୀ ରେଳ ଗାଡି ନାମ କରଣ କରିବା ପାଇଁ ଦାବି କରାଯାଇଥିଲା । ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ଦୋଳନ କରି ଆସୁଛି । ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଅନେକ ଥର ଦାବିପତ୍ର ପ୍ରଦାନ କରି ଅନେକ ଦାବି ହାସଲ କରିଛି । କିନ୍ତୁ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଅନେକ କାମ କରିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ଫୋରମ୍ ଉପ ସଭାପତି ଶ୍ରୀମତୀ ବବିତା ପାତ୍ର, ସଚିବ ଭି.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର, ବି. ଶଙ୍କର ପାତ୍ର, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ରମେଶ ଚନ୍ଦ୍ର ସାହୁଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା