ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ନେଇ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୌଭାଯାତ୍ରା, ଭୋଟ ପ୍ରାର୍ଥନା ଓ ପ୍ରଚାର ଏହି ସମସ୍ତ କାର୍ଯ୍ୟରେ କୋଭିଡ୍ କଟକଣାକୁ ଶତପ୍ରତିଶତ ପାଳନ କରି ଅନୁଷ୍ଠିତ ହେବ । ଏତତ୍ ବ୍ୟତୀତ ନିର୍ବାଚନ ପରିଚାଳନା ଦାୟୀତ୍ବରେ ରହିଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀବୃନ୍ଦ କୋଭିଡ୍ ନିୟମର କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏଥି ସକାଶେ ଆଜି ସୋମବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ ଯେ, ଚଳିତ ନିର୍ବାଚନ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ ରୂପେ କୋଭିଡ୍ ଗାଇଡ୍ ଲାଇନ୍ ଅନୁପାଳନ କରି ପରିଚାଳନା ହେବ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତଙ୍କର ଆର୍.ଟି.ପି.ସି.ଆର୍ ଟେଷ୍ଟ ହେବ । ନିର୍ବାଚନ ପରିଚାଳନା ଦିଗରେ ପ୍ରଦାନ କରାଯିବାକୁ ଥିବା ପ୍ରଶିକ୍ଷଣ ଗୁଡିକୁ ଓସ୍ବାନ୍ କିମ୍ବା ଜୁମ୍ ଆଭାସୀ ଦ୍ବାରା କରିବାକୁ ପ୍ରୟାସ କରାଯିବ । ବ୍ଲକ୍ ସ୍ତରୀୟ ପରିଚାଳନା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ସ୍ତରରେ କରିବେ । ସମସ୍ତ ବୈଠକ ଗୁଡିକ ଏସ୍.ଓ.ପି. ର ଅନୁପାଳନ ହୋଇ ହେବ । ସମସ୍ତ ବୈଠକ ଗୁଡିକ କୋଠରୀରେ ନକରି ଖୋଲା ଅଞ୍ଚଳରେ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତିନିଧିଗଣ ୫ଜଣ ବ୍ୟକ୍ତିଙ୍କୁ ନେଇ ନିର୍ବାଚନ ପ୍ରଚାର କାର୍ଯ୍ୟ କରିବେ । ରାତ୍ର ୮ ଘ. ଠାରୁ ତାପରଦିନ ସକାଳ ୭ଘ. ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର ହେବ ନାହିଁ । ଧାର୍ଯ୍ୟ କରଯାଇଥିବା ଭୋଟ୍ ଗ୍ରହଣ ଦିନର ୩୬ ଘଣ୍ଟା ପୂର୍ବରୁ ଆଉ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ ନାହିଁ । ଭୋଟଦାତାଗଣ ନିଶ୍ଚିତ ରୂପେ ମାସ୍କ ପରିଧାନ କରିବା ଆବଶ୍ୟକ । ଭୋଟ ଗଣତି କୋଠରୀରେ ଏଜେଣ୍ଟ ବ୍ୟତୀତ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ନିର୍ବାଚନଟିକୁ ଅବାଧ, ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଦିଗରେ ପୋଲିସ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ଯେଉଁ ମତଦାନ କେନ୍ଦ୍ର ଗୁଡିକରେ ଅପ୍ରିତିକର ପରିସ୍ଥିତି ଦେଖାଯିବା ଅନୁଭବ ହେବ ଉକ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ସଂହିତା ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।ସରକାରୀ କର୍ମଚାରୀଗଣ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନ ରହିବାକୁ ପରାମର୍ଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟର ପରିଚାଳନା ଦିଗରେ ସରକାରୀ କର୍ମଚାରୀଙ୍କର ଗୁରୁ ଦାୟୀତ୍ବ ରହିବ । ଏଣୁ କେହି ନିଜର ସଦର ମହକୁମା ଛାଡନ୍ତୁ ନାହିଁ । ସମସ୍ତ ଷ୍ଟାଫ୍ ଦୁଇଗୋଟି ଟିକା ନେଇଥିବା ଜିଲ୍ଲାର ସମସ୍ତ ବିଭାଗ ନିଶ୍ଚିତ କରାଇ ନିଅନ୍ତୁ । ସବୁ ସମୟରେ ଯେମିତି ଗୋଟିଏ ଟିମ୍ ଭଳି କାମ କରିଆସିଛନ୍ତି ଏହି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ସେହିଭଳି ଗୋଟିଏ ଟିମ୍ ହୋଇ କାମ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ସମୁଦାୟ ୭୦୯୯ ଓ୍ବାର୍ଡରେ ସମୁଦାୟ ୧୨୭୭୬୨୭ଜଣ ପୁରୁଷ ଭୋଟର, ୧୧୬୫୮୦୯ଜଣ ମହିଳା ଭୋଟର ଏବଂ ୧୮୦ଜଣ ତୃତୀୟଲିଙ୍ଗ ଏଭଳି ସମୁଦାୟ ୨୪୪୩୬୧୬ଜଣ ଭୋଟର୍ ଅଛନ୍ତି । ଜିଲ୍ଲାର ୫୦୩ ସମିତିସଭ୍ୟ, ୫୦୩ ସରପଞ୍ଚ, ୭୦୯୯ ଓ୍ବାର୍ଡ ମେମ୍ବର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ୭୦୯୯ଗୋଟି ପୋଲିଙ୍ଗ ଷ୍ଟେସନ ରେ ଭୋଟ୍ ସଂଗ୍ରହ କରାଯିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀର ଜଣାଇଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା