ତୁଳସୀ ଦୁଇ ପତ୍ରରୁ ବାସେ…

ଆସିକା (ସମୃଦ୍ଧ ଓଡିଶା) ତୁଳସୀ ଯେମିତି ତାହାର ଗୁଣ ପାଇଁ ଦୁଇ ପତ୍ରରୁ ବାସେ ଠିକ୍ ସେମିତି ଆସିକା ଥାନା ଅଧିକାରୀଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ତଥା ନମ୍ରତା ପାଇଁ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ ଯାଉଛନ୍ତି ଯାହା ଦ୍ଵାରା ସାରା ଆସିକା ଅଞ୍ଚଳ ସହିତ ପୁରା ଗଞ୍ଜାମରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ଉଲ୍ଲେଖନୀୟ କାର୍ଯ୍ୟ ସାଙ୍ଗକୁ ତଦନ୍ତରେ ଉତ୍କର୍ଷତା ଦେଖାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଦକ୍ଷ ପୋଲିସ ଅଫିସର, କ୍ରାଇମବ୍ରାଞ୍ଚ, ଏସ୍ ଟିଏଫ୍, ଅର୍ଥନୈତିକ ଅପରାଧ ଶାଖା, ଦୁର୍ନିତି ନିବାରଣ ବିଭାଗର ୬୪ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦକ । ଆସିକା ଥାନା ଅଧିକାରୀ ଶ୍ରୀ ସାହୁ ଏହି ସଫଳତାର ଶ୍ରେୟ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏଙ୍କ ଦିଗଦର୍ଶନ ଓ ଥାନାର ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ପ୍ରଚେଷ୍ଟା ଏବଂ ଅଞ୍ଚଳବାସୀଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମହଲ ଶୁଭେଚ୍ଛାର ସୁଅ ଛୁଟିଛି ଓ ଏଥି ସହିତ ସ୍ଥାନୀୟ ବିଧାୟିକା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭଳି ପୋଲିସ ଅଫିସର ଆମକୁ ସବୁବେଳେ ଦରକାର ବୋଲି ସ୍ଥାନୀୟ ବାସିନ୍ଦା କହୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ