ତରନଙ୍ଗିନୀ ଲେୟରସ୍ କମ୍ପାନୀରେ ଦୁର୍ଘଟଣା : ୫ ଶ୍ରମିକ ଗୁରୁତର ଯୋଗୁଁ ତଦନ୍ତ ଦାବି କରିଛନ୍ତି ସି.ପି.ଆଇ ଜିଲ୍ଲା ସମ୍ପାଦକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିକା ନିକଟସ୍ଥ ତରନଙ୍ଗିନୀ ଲେୟରସ୍ ପ୍ରାଇଭେଟ କମ୍ପାନୀରେ ଦୁର୍ଘଟଣା ଘଟି ୫ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ୧୦ ରୁ ୧୨ ଜଣ କାମ କରୁଥିବା ଗୋଦାମ ଗୃହରେ ଦାନା ବସ୍ତା ଲୋଡ କରୁଥିବା ସମୟରେ ୨୦ ଫୁଟ ଉଚ୍ଚର ବସ୍ତା ଅଚାନକ ଧସେଇ ଖସିବା ଦ୍ୱାରା ୫ ଜଣ ଗୁରୁତର ହୋଇ ବ୍ରହ୍ମପୁରରେ ୩ ଜଣ ଚକିତ୍ସିତ ହେଉଥିବା ବେଳେ ୨ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ହେବା ଯୋଗୁଁ କଟକ ରିଫର କରାଯାଇଛି । ସାମାନ୍ୟ ଆହତ ହୋଇଥିବା ୩ଜଣଙ୍କ ପ୍ରାଥମିକ ଚିକିତ୍ସା ପରେ ଆସିକାରୁ ଫେରିଛନ୍ତି । ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଥିବା ପଲ୍ଲିମାଳର ଲୋକନାଥ ଲେଙ୍କା(୩୮), ପାଣ୍ଡିଆପଥର ନାରାୟଣପୁରର ନିରାକାର ଦୋରା(୩୫), ଭେଟନଇର ଯୋଗି ଦାଶ(୪୫) ଏବଂ କଟକ ବଡମେଡିକାଲକୁ ପଠାଯାଇଥିବା ଭେଟନଇର ଗୋପୀନାଥ ସାହୁ(୫୦) ଏବଂ କଞ୍ଚୁରୁର ଜଗା ନାୟକ(୨୫) ବୋଲି ଜଣାପଡିଛି । ଏମାନେ ସମସ୍ତେ ଦିନ ମଜୁରିଆ, ୩୦୦ଟଙ୍କା ମଜୁରୀ ନେଲେ ଏମାନଙ୍କ ପରିବାର ପ୍ରତିପୋଷଣ ହୁଏ, ଏମାନଙ୍କ ମହିଳା ମାନେ ମଧ୍ୟ ଏଠାରେ କାମ କରି ୧୮୦ ଟଙ୍କା ମଜୁରୀ ପାଆନ୍ତି । ଏଭଳି ଗୁରୁତର ଶ୍ରମିକ ଦୁର୍ଘଟଣାକୁ ଚପେଇ ଦେଇ ରଫା ଦଫା କରିବା ପାଇଁ କମ୍ପାନୀର ମାଲିକ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ଘଟଣା ଘଟିଲା ପରେ ଯୋଗି ଦାଶଙ୍କ ସ୍ତ୍ରୀଙ୍କୁ ଦେଖିବା ପାଇଁ ସୁଯୋଗ ଦିଆଯାଇନାହିଁ କି ଲୋକନାଥ ଲେଙ୍କାଙ୍କ ପରିବାରକୁ ସୁଯୋଗ ମିଳିନାହିଁ । ସକାଳ ୮ ଘଟିକାରେ ଘଟଣା ଘଟିଥିଲେ ମଧ୍ୟ ପୋଲିସ କେସ ହୋଇନାହିଁ କି ମେଡିକାଲ ପକ୍ଷରୁ ଆସିକା ଥାନାକୁ ସୂଚନା ପ୍ରଦାନ କରାଯାଇନାହିଁ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ଏ ସମ୍ପର୍କରେ ଅପରାହ୍ନ ୫ ଘଟିକାରେ ପଚାରିବାରୁ ସେ ଜାଣିନାହାନ୍ତି ବୋଲି ପ୍ରକାଶ କରିଛନ୍ତି । କରୋନା ସଟଡାଉନ ଆଳରେ ଗରିବ ଖଟିଖିଆଙ୍କ ଜୀବନ ସହ ଖେଳ ଖେଳିବା ଅତ୍ୟନ୍ତ ଦୁଃଖ ଦାୟକ । କମ୍ପାନୀର ମାଲିକ ଘଟଣାକୁ ଚପାଇଦେବାକୁ କାହିଁକି ଉଦ୍ୟମ କରୁଛନ୍ତି ତାହା ତୁରନ୍ତ ତଦନ୍ତ କରାଯାଉ । ଶ୍ରମିକମାନଙ୍କର ଚିକିତ୍ସା ଜନିତ ସମସ୍ତ ଦାୟିତ୍ୱ ଓ ସେମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ କମ୍ପାନୀ ମାଲିକ ଦାୟିତ୍ୱ ନେବା ପାଇଁ ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଦୃଢ ଦାବୀ ରଖିଛନ୍ତି । ୪୦ ଜଣ ମହିଳା ଓ ୨୦ଜଣ ପୁରୁଷ ଶ୍ରମିକ କାମ କରୁଥିବା ଏହି ଲେୟର ଲିଃ କମ୍ପାନୀର ସମସ୍ତ ସୁରକ୍ଷା ଦିଗ ଯାଞ୍ଚ କରିବା ସହ ଶ୍ରମବିଭାଗ ତୁରନ୍ତ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ସମ୍ପାଦକ ସି.ପି.ଆଇ(ଏମ୍-ଏଲ୍) ଶଙ୍କର ସାହୁ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା