ଢେଙ୍କାନାଳ ସଚେତନ ନାଗରିକ ଫୋରମର ବାର୍ଷିକ ବୈଠକ ତଥା ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ବୋରlପଦା ଆମ୍ବତୋଟା ଠାରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ ସଭାପତିତ୍ୱରେ ସମସ୍ତ କୋଭିଡ ନିୟମ ଅନୁପାଳନରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଢେଙ୍କାନାଳର ସାଂସଦ ଶ୍ରୀ ମହେଶ ସାହୁଙ୍କ ଦ୍ୱାରା ଏକ ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚନ ହୋଇଯାଇଛି l ଫୋରମର ସମ୍ପାଦକ ଭରତ ଦାସ କାର୍ଯ୍ୟକର୍ତ୍ତାମାନଙ୍କୁ ସେବା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହିତ ସମ୍ପାଦକୀୟ ବାର୍ଷିକ ବିବରଣୀ ପାଠ କରିଥିଲେ l ଉପସଭାପତି ପଙ୍କଜ ନାୟକ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହସଂପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ l ସାଂସଦ ଶ୍ରୀସାହୁ ଫୋରମର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଫୋରମ ତରଫରୁ ଗଠନମୂଳକ କାର୍ଯ୍ୟଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା, ଜନସାଧାରଣଙ୍କ ସମାଧାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଘୋଷଣା କରିଥିଲେ । ସମସ୍ତେ “ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ନିଜେ ପଢିଥିବା ବିଦ୍ୟାଳୟ ଗୁଡିକର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଆଗେଇ ଆସି ବଜ୍ର ଶପଥ ନେବାକୁ ଦୃଢ଼ ଆହ୍ୱାନ ଦେଇଥିଲେ । ଢେଙ୍କାନାଳ ସଚେତନ ନାଗରିକ ଫୋରମର ଶିକ୍ଷା ବିଭାଗର ସଭାପତି, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ମୋ ସ୍କୁଲ ଅଭିଯାନର ଦଳମୁଖ୍ୟ ଡା. ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ‘ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟକାରିତା ଓ ଢେଙ୍କାନାଳ ଜିଲ୍ଲାରେ ଏହାର ସଫଳତା ପାଇଁ ବିଦ୍ୟାଳୟ ଗୁଡିକର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଏକକ ଅଥବା ଦଳଗତ ଭାବରେ ସ୍ୱ ଅନୁଦାନ ଅର୍ଥ ରାଶିର ଦୁଇଗୁଣ ଅର୍ଥରାଶି ଓଡ଼ିଶା ସରକାରଙ୍କ ଏକ ଶହ କୋଟି ଟଙ୍କାର କର୍ପସ ଫଣ୍ଡରୁ ଅନୁଦାନ ପାଇ ମୋଟ ତିନିଗୁଣ ଅର୍ଥରାଶିରେ ନିଜେ ପଢିଥିବା ବିଦ୍ୟାଳୟ ଗୁଡିକର ଆବଶ୍ୟକତା ଅନୁସାରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ । ଏହି ଅର୍ଥ ଦାନ ବ୍ୟତୀତ ସେମାନେ ଆବଶ୍ୟକୀୟ ଦ୍ରବ୍ୟ ଓ ସେବା ପ୍ରଦାନ କରି ପ୍ରତ୍ୟେକ ବିଦ୍ୟାଳୟ ଆଲୁମିନି ଆସୋସିଏସନର ସମସ୍ତ ସଭ୍ୟ,ସଭ୍ୟାମାନେ ମଧ୍ୟ ବିଦ୍ୟାଳୟର ସମ୍ପର୍କର ସେତୁବଂଧ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ଆମ ଢେଙ୍କାନାଳ ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ପାଇଁ ସର୍ବଦା ଚେଷ୍ଟିତ ହେବାକୁ ସୁପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କୁମାର ସାହେବ ରଣେନ୍ଦ୍ର ପ୍ରତାପ ସିଂଦେଓ ଯୋଗ ଦେଇ ଫୋରମରେ କାର୍ଯ୍ୟକ୍ରମ ଆଗକୁ ଆହୁରି ବଢ଼ିବ ଏବଂ କିପରି ଅଧିକରୁ ଅଧିକ କାର୍ଯ୍ୟକର୍ତ୍ତା ଏହି ସେବା କାର୍ଯ୍ୟରେ ଯୋଡି ହେବେ ସେଥି ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଉଚିତ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ଶତପଥୀ, ପର୍ଶୁରାମ ମହାଭୋଇ, କୃଷକନେତା ମହେଶ୍ୱର ମହାନ୍ତି, ସଦର ବ୍ଲକ ସଭାପତି ଅର୍ଜୁନ ସାହୁ, ଗଂଦିଆରେ ବ୍ଲକ ସଭାପତି ଗଣେଶ୍ୱର ପ୍ରଧାନ, କାମାକ୍ଷା ନଗର ସଭାପତି ସଂଧ୍ୟାରାଣୀ ସାହୁ, ଓଡାପଡ଼ା ସଭାପତି ଧରିତ୍ରୀ ମଲ୍ଲିକ, ହିନ୍ଦୋଳ ବ୍ଲକ ସଭାପତି ମନୋଜ ପାଣିଗ୍ରାହୀ ପ୍ରମୁଖ ନିଜର କାର୍ଯ୍ୟକର୍ତ୍ତାଙ୍କ ସହିତ ଫୋରମର ସଦସ୍ୟ, ଭୁବନେଶ୍ୱର ସ୍ଥିତ ଢେଙ୍କାନାଳ ବିକାଶ ପରିଷଦର ଚାର୍ଟଡ଼ ଅକାଉଟାଣ୍ଟ ରାଜ ନାରାୟଣ ତ୍ରିପାଠୀ, ଆମ୍ବେଦକର ଟ୍ରଷ୍ଟ, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ରୋଟାରି କ୍ଲବ, ସି’ ଆଇନଜୀବୀ ସଂସ୍ଥାର ଶତାଧିକ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଫୋରମର ବିଭିନ୍ନ ବ୍ଲକରୁ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଢେଙ୍କାନାଳ ମାଟି ପାଇଁ ଚିନ୍ତା କରୁଥିବା ଅନେକ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ମଧ୍ୟ ଯୋଗ ଦେଇ ସ୍ୱ ପରିଚୟ ଦେବା ସଙ୍ଗେ ସଙ୍ଗେ ସମାଜର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଉଚିତ ପଦକ୍ଷେପ ଗୁଡିକ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ପ୍ରତି ଗରିବ ପିଲାଙ୍କ ଉଦ୍ଦେଶ୍ୟରେ ଏକ ଇଂରାଜୀ ବହି ଓ ସ୍କେଚ ପେନ ସେଟ ଥିବା ଏକ କିଟ ବିତରଣର ବ୍ୟବସ୍ଥା କରାଯାଇଥିଲା । ପରିଶେଷରେ ଫୋରମର ଉପସଭାପତି ଅଖିଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l