ଢେଙ୍କାନାଳ ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅନଲାଇନରେ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲା ଆଇନ ସେବାପ୍ରାଧିକରଣର ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନ୍ ମାଧ୍ୟମରେ ଶତାୟୁ,ବ୍ରଜନାଥ ବଡଜେନା ବିଦ୍ୟାଳୟ,ଢେଙ୍କାନାଳର ଛାତ୍ରଛାତ୍ରୀ,ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ବ୍ରଜନାଥ ବଡଜେନା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବିଶ୍ୱ ପରିବେଶ ଦିବସର ମହତ୍ବ, କରୋନା ମହାମାରି ସମୟରେ ଅମ୍ଳଜାନର ଅଭାବକୁ କିପରି ଦୂର କରି ପାରିବା ଏବଂ ପରିବେଶ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବରାଜ ରାଉତ, ପରିବେଶର ସୁସନ୍ତୁଳନ ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ପାଇଁ ସୁପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ବିଜ୍ଞାନ ଶିକ୍ଷକ ତଥା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରତ୍ୟେକ ପିଲାଙ୍କୁ ଔଷଧୀୟ ବୃକ୍ଷର ମହତ୍ବ ଏବଂ ବିଭିନ୍ନ ସ୍ମରଣୀୟ ଦିବସରେ ବୃକ୍ଷ ଲଗାଇବା ପାଇଁ ସୁପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ବନଖଣ୍ଡ ଅଧୀକାରୀ କାର୍ଯ୍ୟାଳୟର ଏ.ସି.ଏଫ. ସୁବ୍ରତ କୁମାର ପାତ୍ର, ଉପସ୍ଥିତ ରହି ପରିବେଶର ସୁରକ୍ଷା କିପରି କରାଯାଇପାରିବ ସେ ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁକାନ୍ତ କିଶୋର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।