ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ଦୂର କରିବା ଉଦ୍ୟମରେ ପଲ୍ଲବ ଲିମା…

ଗଜପତି (ସମୃଦ୍ଧ ଓଡିଶା) କ୍ୟାରିୟର କାଉନସେଲିଂ ଜରିଆରେ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ତାମିଲନାଡୁର ଭେଲୋର ଖ୍ରୀଷ୍ଟିୟାନ୍ ମେଡିକାଲ କଲେଜରେ ପଡ଼ିବାକୁ ସୁଯୋଗ ଦେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନେତୃତ୍ୱ ନେଇଛନ୍ତି ବିଜେଡି ମାଇନରଟି ସେଲ ଷ୍ଟେଟ ସେକ୍ରେଟାରୀ ଡକ୍ଟର ପଲ୍ଲବ କୁମାର ଲିମା । ସେ କହିଛନ୍ତି ଯେ, ଦାରିଦ୍ର ଯୋଗୁ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଇଚ୍ଛା ଥିଲେ ବି ମେଡିକାଲ କଲେଜରେ ପଡି ପାରୁନାହାନ୍ତି । ସେଭଳି ଛାତ୍ରଛାତ୍ରୀଙ୍କୁ ମେଡିକ ଓ ପାରା ମେଡିକ କ୍ଷେତ୍ରରେ କ୍ୟାରିୟର ଗଠନ ପାଇଁ ଉତ୍ସାହିତ କରିବା ସହ ସୁଯୋଗ ଦେବା ତାଙ୍କର ଲକ୍ଷ୍ୟ । ଜୁନ ୧୭ ଗୁରୁବାର ସୁଦ୍ଧା ମୋଟ ୭୩ ଛାତ୍ରଛାତ୍ରୀ ଦରଖାସ୍ତ କରିଛନ୍ତି । ଗଜପତି ୱେବ୍ ସାଇଟ୍ ରୁ ୨୦୨୦ର ତଥ୍ୟ ଉଦ୍ଧାର କରି ସେ ବି ଜଣାଇଛନ୍ତି ଯେ, ଜିଲ୍ଲାର ଜନସଂଖ୍ୟା ୨୦୧୧ର ଜଣଗଣନା ଅନୁସାରେ ୫ଲକ୍ଷ ୭୭ହଜାର ୮୧୭ ଥିଲା । ବର୍ତ୍ତମାନ ତାହା ନିଶ୍ଚୟ ୬ଲକ୍ଷରୁ ଅଧିକ ହୋଇଥିବ । କିନ୍ତୁ ଏତେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି । ମେଡିକ ଓ ପାରାମେଡିକ କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଜିଲ୍ଲାର ଛାତ୍ରଛାତ୍ରୀ ସୁଯୋଗ ପାଉନଥିବାରୁ ସମ୍ଭବତଃ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଏମବିବିଏସ, ନର୍ସିଂ, ପାଥୋଲୋଜି ପ୍ରଭୁତି ବିଷୟରେ ପଡ଼ି ରୋଜଗାରକ୍ଷମ ହେବା ସହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ପାରିବେ । ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯାଇଛି । ତାଙ୍କୁ ଏ କ୍ଷେତ୍ରରେ ସହାୟତା ପ୍ରଦାନ ପାଇଁ ସେ ଗଜପତିର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସଚେତନ ନାଗରିକ ମାନଙ୍କୁ ନିବେଦନ ଜଣାଇଛନ୍ତି । ତାହାସହ ସାପ୍ତାହିକ ଜୁମ ମିଟିଙ୍ଗ ଦ୍ୱାରା ଗଜପତିର ପ୍ରତ୍ୟେକ ବ୍ଲକର ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସ୍ୱାସ୍ଥ୍ୟ ଓ ଅସୁବିଧା ବିଷୟରେ ଆଲୋଚନା କରି ସାହାଯ୍ୟର ହାତ ବଢ଼େଇଥିବା ଯୋଗୁ “ଡକ୍ଟର. ଲିମାଙ୍କୁ ବୁଦ୍ଧିଜୀବୀ ମାନେ ପ୍ରସଂଶା କରିଛନ୍ତି ।