ଟ୍ରାକ୍ଟର ଓଲଟି ଚାଷୀଙ୍କ ମୃତ୍ୟୁ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ଜମିରେ ଚାଷ କରୁଥିବା ବେଳେ ଟ୍ରାକ୍ଟରରେ ଚାପି ହୋଇ ଜନୈକ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ପୋଲେଇ ସାହିର ବଳରାମ ପରିଡା (୪୭) । ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ବଳରାମ ବୁଗୁଡ଼ାର ବେଙ୍ଗେଇ ବନ୍ଦ ନିକଟସ୍ଥ ଏକ ବିଲରେ ଚାଷ କରୁଥିବା ସମୟରେ ବିଲହୁଡାକୁ ଅତିକ୍ରମ କଲାବେଳେ ଟ୍ରାକ୍ଟରଟିର ପଛ ଭାଗ କାଦରେ ପୋତି ହୋଇଯାଇ ଆଗର ଇଞ୍ଜିନ୍ ଭାଗଟି ଉପରକୁ ଉଠିଯାଇ ତାଙ୍କ ଉପରେ ଲଦି ହୋଇଯିବାରୁ ସେ ଚାପି ହୋଇଯାଇଥିଲେ । ଆଖପାଖରେ କାମ କରୁଥିବା ଅନ୍ୟ ଲୋକେ ଏହା ଦେଖି କିଂକର୍ତ୍ତବ୍ଯମୁଢ ପରିସ୍ଥିତିରେ ପଡିଯାଇଥିଲେ । ତେବେ ଖବର ପାଇ ବୁଗୁଡ଼ା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ବଳରାମଙ୍କୁ ସେଥିରୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ବଳରାମଙ୍କ ଭାଇ ସୂର୍ଯ୍ୟନାରାୟଣ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୪୨୨/୨୨ରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି । ମୃତ ଚାଷୀ ବଳରାମଙ୍କ ଗୋଟିଏ ପୁଅ ଓ ଦୁଇଟି ଝିଅ ରହିଥିବା ବେଳେ ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା