ଜୁଲାଇ ୮ରେ ମୁକ୍ତିଲାଭ କରିବ “ମାୟାଦର୍ପଣ”…

ଜୁଲାଇ ୮ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ବାହୁଡା଼ ଯାତ୍ରା ଅବସରରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି । ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂୂଚନା ଦିଆଯାଇଛି । ସାରା ଭାରତରେ ୫୦ଟି ପ୍ରେକ୍ଷାଳୟରେ ମାୟାଦର୍ପଣ ମୁକ୍ତିଲାଭ କରିବ ବୋଲି କୁହାଯାଇଛି । ମା’ର ସ୍ନେହ ମମତାକୁ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ପରିବାର ସହ ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି । ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବା ବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଏହି ସିନେମାରେ ଅଭିନୟ କରିଛନ୍ତି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ନଜର ଆସିଛନ୍ତି । ଚଳଚ୍ଚିତ୍ର ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ରାଜୀବ ମହାନ୍ତି ।ରଂଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ ।