ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ ଓ ଏସ୍‌.ପିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି । କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି । ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବୈଠକରେ ଜିଲ୍ଲାପାଳ, ଏସ୍‌.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ବାରୋପ କରିଥିଲେ । ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି । ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର feedback ବହୁତ ଭଲ ଅଛି । ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ । ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ (Zero Infection Zone) କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ (Do’s & Dont’s) ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ । ସବୁ କାର୍ଯ୍ୟାଳୟର ମୁଖ୍ୟ (Head of Office) ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି । କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ବ ରହିଛି । ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ ପ୍ରାୟ ତିନି ମାସ ବିତିଗଲାଣି ଏବଂ ବର୍ତ୍ତମାନ ଏସବୁ ଉଲଙ୍ଘନ ଘଟଣାରେ ଅଧିକ କଠୋର ହେବାକୁ ପଡିବ । ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ TMC ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ କୋଭିଡ କୋର୍‌ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ଘରୋଇ ହସ୍‌ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍‌ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଂଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ହଟ୍‌ସ୍ପଟ୍‌ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ରଣନୀତି କରିବା ସହିତ କୋଭିଡ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଆମେ କୋଭିଡ ଯୁଦ୍ଧରେ ଆମେ ବହୁତ ଭଲ ପ୍ରଦର୍ଶନ କରୁଛୁ ଏବଂ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ସେ କହିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀ ସଚିବ (୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି ମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା