ଜିଲ୍ଲା ସ୍ତରରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଥିବାରୁ ଏହା ଉପରେ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନିଆଯିବ ସହ ଜିଲ୍ଲା ସ୍ତରରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟତଃ ହେଲ୍‌ମେଟ ଚେକିଂ ପ୍ରକ୍ରିୟା ଏବଂ ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବ୍‌ଶୀଘ୍ର ଜିଲାସ୍ତରରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହାକୁ କମାଇବା ଲାଗି ସବୁ ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି । ଏହା ଉପରେ ସୋମବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବୈଠକରେ ଜିଲାପାଳ ଏବଂ ଏସପି ମାନେ ଉପସ୍ଥିତ ରହିବେ । ଏହାକୁ ନେଇ ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି, ରାଜ୍ୟ ସରକାର ବର୍ତ୍ତମାନ ସଡ଼କ ଦୁର୍ଘଟଣା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାକୁ କମାଯିବା ଲାଗି ଯୋଜନା କରୁଛନ୍ତି । ହାଇଓ୍ବେରେ ମଦ ପିଇ ଏବଂ ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତି ଅଧିକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହେବା ସାଙ୍ଗକୁ ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ଜିଲାସ୍ତରରେ ଚେକିଂ କଡ଼ାକଡ଼ି ହେବ । ଏହାସହ ଦ୍ରୁତଗତିରେ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ନିକଟରୁ ଫାଇନ ଆଦାୟ କରାଯିବ । ଡିଜିଟାଲ ବ୍ୟବସ୍ଥା ଏବେ ସବୁଆଡେ ଚାଲିଲାଣି । ତେଣୁ ଏସବୁ କରିବା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ସରକାରୀ ତଥ୍ୟ ମୁତାବକ, ୨୦୧୯ରେ ରାଜ୍ୟରେ ମୋଟ ୧୧,୦୬୪ ସଡ଼କ ଦୁର୍ଘଟଣା ଘଟିଛି । ସେଥିରୁ ମୋଟ ୪,୬୮୮ଟି ବାଇକରେ ଯାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦୁର୍ଘଟଣା ହୋଇଛି। ସେଥିରୁ ମୋଟ ୫,୩୩୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ବାଇକ ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିବା ୨୩୯୮ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ଏହି ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୧୫୬ଜଣ ଦୁର୍ଘଟଣା ସମୟରେ ହେଲମେଟ ନ ପିନ୍ଧିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ଫଳରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ମୋଟର ଭେଇକିଲ ଆକ୍ଟକୁ କଡ଼ାକଡ଼ି କରିବା ଲାଗି ଯୋଜନା କରିଛନ୍ତି । ଏଥିଲାଗି ଗତ ୧୭ ତାରିଖରେ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଓ ଡିଜିପିଙ୍କୁ ଚିଠି ଲେଖି ନିୟମ ଖିଲାପ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ଅର୍ଥାତ୍‌ ହେଲ୍‌ମେଟ ନ ପିନ୍ଧି ବାଇକ ଚଳାଉଥିବା ଆରୋହୀଙ୍କ ଲାଇସେନ୍ସ ୩ ମାସ ଲାଗି ବାତିଲ କରିବା ସହିତ ହଜାରେ ଟଙ୍କା ଜରିମାନା ଆଦାୟ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ନିକଟରେ ସଡ଼କ ସୁରକ୍ଷା ନେଇ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରେ ବଢୁଥିବା ଦୁର୍ଘଟଣା ସମ୍ପର୍କିତ ତଥ୍ୟ ଦେଖି ସୁପ୍ରିମକୋର୍ଟ କମିଟି ବିରକ୍ତି ହେବା ପରେ ସରକାର ଏହି ନିୟମ କଡ଼ାକଡ଼ି କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା