ଜିଲ୍ଲା ପାଠାଗାରରେ ଖୋଲିଲା କୋଭିଡ୍ କଲ୍ ସେଣ୍ଟର…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ପାଠାଗାରରେ ଖୋଲିଲା କୋଭିଡ୍ କଲ୍ ସେଣ୍ଟର । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଗୁଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ପଜିଟିଭ୍ ଙ୍କ ପାଇଁ କଲ୍ ସେଣ୍ଟର ଛତ୍ରପୁରସ୍ଥିତ ଜିଲ୍ଲା ପାଠାଗାରର ପ୍ରଥମ ମହଲାରେ ଖୋଲାଯାଇଛି । ଏହି କଲ୍ ସେଣ୍ଟରରେ ୩ଟି ସିଫ୍ଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ ଷ୍ଟାଫ୍ କାର୍ଯ୍ୟ କରିବେ । ଏଠାରେ ୬ଟି ମୋବାଇଲ ଫୋନ୍, ଚାର୍ଜର ଓ ରେଜିଷ୍ଟର ରଖାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ଜିଲ୍ଲା ଅଭିଯୋଗ ସେଲ୍ ଅଧିକାରୀ ପ୍ରଶାନ୍ତ କୁମାର ସେଠଙ୍କୁ ଅଫିସର ଭାବେ ନିୟୋଜିତ କରାଯାଇଛି । ଏହି ସବୁ କାର୍ଯ୍ୟ ତ୍ୱରାନ୍ୱିତ ସହ କଲ୍ ସେଣ୍ଟର ପରିଚାଳନା ପାଇଁ ଜିଲ୍ଲା ଗ୍ରାନ୍ଥାଗାରିକ ଅମିୟ କୁମାର ଧଳଙ୍କୁ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏହାକୁ ମନିଟରିଂ କରିବେ । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ ଏଥିରେ ସହଯୋଗ କରିବେ । ଉକ୍ତ କଲ୍ ସେଣ୍ଟରରେ ରେଜିଷ୍ଟର ରହିବ । ସମସ୍ତ କୋଭିଡ୍ ପଜିଟିଭଙ୍କ ଫିଡବ୍ୟାକ୍ ଲିପିବଦ୍ଧ ହେବା ସହ ଏହା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।