ଜିଲ୍ଲା ଟାସ୍କଫୋର୍ସ ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍ ଯୋଗୁଁ ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଓ ବହିଃବିଭାଗ ସ୍ୱାସ୍ଥ୍ୟ ସେବା ବନ୍ଦ ରହିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଚଳିତ ମାସ ୧ ତାରିଖ ଠାରୁ ରୋଗୀମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଏହା ପୁଣି କାର୍ଯ୍ୟକ୍ଷମ କରାଯାଇଛି । ସମସ୍ତ ଚିକିତ୍ସାଳୟରେ କୋଭିଡ୍ ନିୟମ ପାଳନ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ମାସ୍କ,ସାନିଟାଇଜେସନ୍ ଓ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ତମ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟାସ୍କଫୋସ୍‌ର୍ ଓ ସମନ୍ୱୟ କମିଟି ବୈଠକ ଜୁମ୍ ଭିଡିଓ କନଫେରନ୍ସି ଜରିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ ଯେ, ଅନ୍ତଃବିଭାଗ ଓ ବହିଃବିଭାଗରେ ଯେଉଁ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଉଛି ତାହା ଯେମିତି ଉତ୍ତମ ମାନର ସେବା ହେବ ସେ ଦିଗରେ ଦୃଷ୍ଠି ଦିଅନ୍ତୁ । ଗ୍ରାମ କଲ୍ୟାଣ ସମିତି ଓ ଗ୍ରାମ ପଂଚାୟତ ର ବାର୍ଷିକ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରସ୍ତୁତ କରାଯିବ । ତଳ ସ୍ତରକୁ ଷ୍ଟାଫ୍ ମାନଙ୍କୁ ସଚେତନ କରାଯାଇ ପିପୁଲସ୍ ପ୍ଲାନ କମ୍ପେନିଙ୍ଗ୍ ଆରମ୍ଭ କରାଯିବ । ଏ ଦିଗରେ ବିଡିଓଙ୍କ ସ୍ତରରେ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରି ଶତକଡା ଶହେ ପ୍ରତିଶତ ଲକ୍ଷ୍ୟ ଯେମିତି ପୂରଣ ହେବ ସେ ଦିଗରେ ସୁନିଶ୍ଚିତ କରିବେ । ଲକ୍ଷ୍ୟ ଧାର୍ଯ୍ୟର ଶତକଡା ୯୦ ପ୍ରତିଶତ ପ୍ରତିଶେଧକ ବ୍ୟବସ୍ଥା ଯେମିତି ହେବ ସେ ଦିଗରେ ଧ୍ୟାନ ଦିଆଯିବ । ଏହି କ୍ୟାମ୍ପେନିଙ୍ଗ୍ ନଭେମ୍ବର ମାସରୁ ଆରମ୍ଭ କରାଯାଇ ଆସନ୍ତା ଫେବୃଆରୀ ୨୦୨୧ ମଧ୍ୟରେ ଚାରି ରାଉଣ୍ଡ ପ୍ରତିଶେଧେକ ଟୀକା କରଣ କାର୍ଯ୍ୟ ହେବ । ଏହା ମାସର ଶେଷ କାର୍ଯ୍ୟ ଦିବସରେ କରାଯିବ । ଜଣେ ବି ଶିଶୁ ଏହି ଟୀକାକରଣରୁ ବଞ୍ଚିତ ହେବେ ନାହିଁ ସେ ଦିଗରେ ସତର୍କତା ଅବଲମ୍ବନ କରାଯିବ । ପ୍ରକାଶ ଥାଉ କି, ବିଗତ ବର୍ଷ ଏହି କାର୍ଯ୍ୟ ନିମନ୍ତେ ଜିଲ୍ଲା ଇନ୍ଦ୍ରଧନୁସ୍ ପୁରସ୍କାର ରେ ପୁରସ୍କୃତ ହୋଇଛି । ଏଣୁ ଏହି କାର୍ଯ୍ୟରେ ଢିଲା କରାଯିବ ନାହିଁ । ସମଗ୍ର ଜିଲ୍ଲାରେ ଯକ୍ଷ୍ମା ରୋଗରେ ପିଡିତ ଜଣେ ହେଲେ ରୋଗୀ ଯେମିତି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଦୃଷ୍ଠି ଦିଆଯିବ । ଜିଲ୍ଲାରେ କୋଭିଡ୍ ଟୀକା ପ୍ରଦାନ କରାଯିବ । ଏଥିପାଇଁ ଡାଟା ବେଶ୍ କାର୍ଯ୍ୟ ଚାଲିଛି । କୋଭିଡ୍ ୧୯ ଟୀକା କରଣ ହିତାଧୀକାରୀ ପରିଚାଳନା ସିଷ୍ଟମରେ ଡାଟା ପ୍ରସ୍ତୁତ ହୋଇ ପ୍ରଥମ ପର୍ଯ୍ୟାୟରେ କେଉଁ ମାନଙ୍କୁ ଟୀକାକରଣ କରାଯିବ ସେହି ତଥ୍ୟ ପ୍ରସ୍ତୁତ ହୋଇ କୋଭିଡ୍ ପୋର୍ଟାଲ ୱେବ ସାଇଡରେ ଅପଲୋଡ୍ କରାଯିବ । ଜିଲ୍ଲାରେ କୋଭିଡ୍ ଭେକ୍ସିନ୍ ପହଁଞ୍ଚିବା ପରେ ସେଗୁଡିକ କିଭଳି ୱାର୍କ ଇନ୍ କୁଲରରେ ଆଞ୍ଚଳିକ ଭେକ୍ସିନ ଷ୍ଟୋରରେ ଗଚ୍ଛିତ କରାଯିବ ଏବଂ କିଭଳୀ ସୁ ଆବଣ୍ଟନ ହେବ ସେ ନେଇ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡକ୍ଟର ଉମା ଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଆଲୋଚ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଦେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ କିତ୍ତୀୱାସନ୍ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧୀକାରୀଗଣ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା