ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋଷ୍ଠୀଗତ ସମ୍ପତ୍ତି ଏବଂ ବ୍ୟକ୍ତିଗତ ସମ୍ପତ୍ତି ଉନ୍ନୟନ ଯୋଜନା ବିଷୟରେ ସବିଶେଷ ତଥ୍ୟ ହିତାଧିକାରୀଗଣ ଜାଣିପାରିବେ ଏବଂ ସେଥିରୁ ଯେଭଳି ଲାଭ ପାଇ ପାରିବେ ଏଥି ସକାଶେ ସେମାନଙ୍କୁ କର୍ମଶାଳା ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରି ଜଣାଇବାର ଆବଶ୍ୟକତା ରହିଛି । ଏଥି ସକାଶେ କର୍ମଶାଳା ଆୟୋଜନ କରିବା ପାଇଁ କୁହାଯାଇଥିଲା । ତେବେଯାଇ ହିତାଧିକାରୀଙ୍କ ମଧ୍ୟରେ ଆଗ୍ରହ ବଢିବା ସହିତ ସେମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇବ । ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉନ୍ନୟନ ଅଗ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, ଜିଲ୍ଲାରେ ଯେଉଁ ସବୁ ଉନ୍ନୟନ କାର୍ଯ୍ୟ ଚାଲିଛି ସେଗୁଡିକ ଉତ୍ତମ ମାନର ଯେପରି ହେବ ଏବଂ ଚୀରସ୍ଥାୟୀ ରହିବା ସହିତ ଏହାର ବ୍ୟାବହାରିକ ଗୁଣବତ୍ତା ବା ଉପଯୋଗିତା ଠିକ୍ ରୂପେ ହେବ ସେ ଦିଗରେ ଯତ୍ନବାନ ହେବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ । ଜିଲ୍ଲାର ୯୨ଟି ଗ୍ରାମ ପଞ୍ଚାୟତ ସ୍ତରରେ ଜନ ସାଧାରଣ ବ୍ୟବହୃତ ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟ ୧୫ ମାର୍ଚ୍ଚ ସୁଦ୍ଧା ସଫେଇ କାର୍ଯ୍ୟ ଶେଷ ହେବ ସେ ଦିଗରେ ଧ୍ୟାନ ଦେବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟ ନିମନ୍ତେ ସରକାରଙ୍କ ଅନେକ ଅର୍ଥ ବ୍ୟୟ ହେଉଛି ଏଣୁ ଏହାର ସଠିକ୍ ପରିଚାଳନା ଦୃଷ୍ଟି ଦେବାକୁ ଅବଗତ କରାଇଥିଲେ । ଆସନ୍ତା ସପ୍ତାହରୁ ଜିଲ୍ଲା ସ୍ତରରୁ ୨୨ ଗୋଟି ଦଳ ଜିଲ୍ଲାର ପ୍ରତି ବ୍ଲକ୍ କୁ ଅଚାନକ ଗସ୍ତ କରି କାର୍ଯ୍ୟ ଗୁଡିକ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ । ଗ୍ରାମ ପଞ୍ଚାୟତରୁ ସଂଗୃହୀତ ଅଳିଆ ଆବର୍ଜନାକୁ ଖତରେ ପରିଣତ କରି ସେଗୁଡିକ ବୃକ୍ଷ ରୋପଣ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯିବ । ଆସନ୍ତା ଆର୍ଥିକ ବର୍ଷରୁ ବାହାରୁ ଖତ କିଣାଯିବ ନାହିଁ । ମୋ ଖତ ଯୋଜନାରୁ ସଂଗୃହୀତ ଖତହିଁ ଏଥି ନିମନ୍ତେ ବିନିଯୋଗ କରାଯିବ । ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ସକାଶେ ଜିଲ୍ଲାରେ ୨୯୨୮୮୯୬୨ କାର୍ଯ୍ୟ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତକାଲି ସୁଦ୍ଧା ୨୧୦୫୭୬୪୯ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ପାରିଛି, ଯାହାକି ଶତକଡା ୭୨ ପ୍ରତିଶତ । ନରେଗାରେ ୨ କୋଟି ୯୨ ଲକ୍ଷ ଟଙ୍କା ଦିଆଯାଇଛି ତାହା .ଯେପରି ପୂରଣ ହେବ ସେଥି ନିମନ୍ତେ ବ୍ଲକ୍ ଉନ୍ନୟନ ଅଧିକାରୀଗଣ ଧ୍ୟାନ ଦିଅନ୍ତୁ । ଗୋଚର ଜମିରେ ଉତ୍ତମ ମାନର ଅତ୍ୟାଧୁନିକ ଗୁହାଳ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରନ୍ତୁ । ଗୁହାଳ ଗୃହରୁ ନିର୍ଗତ ଆବର୍ଜନାର ସଠିକ୍ ବିନିଯୋଗ ହୋଇ ପାରିଲେ ସେଥୁରୁ ରନ୍ଧନ ଗ୍ୟାସ, ଖତ ଇତ୍ୟାଦି ଆମଦାନୀ ହୋଇ ପାରିବ । ସେଥି ପ୍ରତି ଦୃଷ୍ଟି ଦେଇ ନିର୍ମାଣ କାର୍ଯ୍ୟ ତ୍ବରାନ୍ବୀତ କରନ୍ତୁ । ମୋ କାରୀ ବଗିଚା ଦ୍ବାରା ଚାଷୀ ନିଜପାଇଁ ଉତ୍ତମ ପନିପରିବା ପାଇବା ସହିତ ବଳକା ପନିପରିବା ବିକ୍ରି କରି ଚାଷୀ କିମ୍ବା ହିତାଧିକାରୀ ରୋଜଗାର କ୍ଷମ ହୋଇ ପାରିବେ ଓ ପନି ପରିବା ଅଭାବ ଦୂର ହୋଇପାରିବ । ଗତକାଲି ସୁଦ୍ଧା ଜିଲ୍ଲାର ୪୫୭୮୬ ହଜାର ହିତାଧିକାରୀ ମୋ ବଗିଚାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୮୫୧.୨୦ ଏକର ଜମିରେ ଚାରା ଚାଷ କରାଯାଇ ୧୨୨୯ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ କରାଯିବା ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ଗତକାଲି ସୁଦ୍ଧା ୨୮୭.୪୦ ଏକର ଜମିରେ ୪୫୬ ଜଣ ଚାଷୀ କାର୍ଯ୍ୟ କରୁଛନ୍ତି । ୩୬୩୯ ଗୋଟି ଡଗ୍ ଓ୍ବେଲ ନିର୍ମାଣ ସକାଶେ ୭୯୨ ଗୋଟି ଯୋଜନା ଅଟକଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ୩୫୦ ଡଗ୍ ଓ୍ବେଲ କାର୍ଯ୍ୟ ଶେଷ ହୋଇଛି । ହିତାଧିକାରୀଙ୍କ ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଇବା ସକାଶେ ଚାରା ଚାଷର ଆବଶ୍ୟକତା ବହିଛି । ଉତ୍ତମ ମାନର ଚାରା ଖାଦ୍ୟରୂପେ ପାଇ ପାରିବେ ଏବଂ ସେମାନେ ଭଲ ଓ ଅଧିକ କ୍ଷୀର ପାଇପାରିବେ । ଆସନ୍ତା ଆର୍ଥିକ ବର୍ଷରେ ବର୍ଷା ଆସିବା ପୂର୍ବରୁ ବୃକ୍ଷ ରୋପଣ କାର୍ଯ୍ୟ ପାଇଁ ଜମି ଗୁଡିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଚଳିତ ବର୍ଷ ପ୍ରତି ଗ୍ରାମ ପଞ୍ଚାୟତରେ ୧୦ ଗୋଟି ଡଗ୍ ଓ୍ବେଲ, ୧୦ ଗୋଟି ଗାଈ ଗୁହାଳ, ୧୦ ଗୋଟି ପୋଲଟ୍ରି ସେଡ୍ ନିହାତି ଭାବରେ କରିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଠାରେ ଫାର୍ମ ପୋଖରୀ କରାଯାଇଛି ସେହିଠାରେ ମତ୍ସ୍ୟ ବିଭାଗ ସହିତ ସମନ୍ବୟ ରକ୍ଷାକରି ମତ୍ସ୍ୟ ଚାଷ ସକାଶେ ଉପଯୋଗୀ କରାନ୍ତୁ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ବେଳେ ସଂପୃକ୍ତ ଲାଇନ୍ ବିଭାଗକୁ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ୩୩୨୩ଗୋଟି ଯୋଜନା ଅନୁମୋଦନ କରାଯାଇ ୨୭୨୦ଟି କାର୍ଯ୍ୟ ଶେଷ କରାଯାଇଛି । ପ୍ରତି ଗ୍ରାମ ପଞ୍ଚାୟତରେ ବିଜୁ ପଞ୍ଚାୟତ ପାଠାଗାର ନିର୍ମାଣ ହେବ । ଜିଲ୍ଲାରେ ୪୭୮୨ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଅନୁମୋଦନ ହୋଇଥିବା ସ୍ଥଳେ ୩୪୩୮ ଗୋଟି ନିର୍ମାଣ ହୋଇ ସାରିଛି । ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ଠିକ୍ ଭାବରେ ହେଉଛି ନା ନାହିଁ ସେଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଯାଂଚ୍ କରନ୍ତୁ । ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଲାଇନ୍ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।