ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ସରପଞ୍ଚଙ୍କ ଉପରେ ବିଡ଼ିଓଙ୍କ କ୍ଷମତାଗିରି : ମୁଖ୍ୟମନ୍ତ୍ରୀଙ୍କ ଠାରେ ଫେରାଦ ହେଲେ ମହିଳା ସରପଞ୍ଚ…

ପଦ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଗଲା ବୋଲି ଘୋଷଣା ପରେ ସରପଞ୍ଚମାନଙ୍କ ପାଦ ତଳକୁ ଲାଗି ନ ଥିଲା । କିନ୍ତୁ ବର୍ତ୍ତମାନ ସେହି ଜିଲ୍ଲାପାଳ ମାନଙ୍କ ବିଡିଓ ଧମକ ଦେଉଥିବା ଘଟଣା ଦେଖିବାକୁ ମିଲିଛି । ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ଗ୍ରାମପଞ୍ଚାୟତରେ । ଏ ସଂପର୍କରେ ଟେମରୀ ସରପଞ୍ଚ ନିରୁପା ସିଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚମାନଙ୍କୁ ବିଡିଓ ମହାଶୟ ଅଣଦେଖା କରି ଶାସକ ଦଳର ସଖୀ କଣ୍ଢେଇ ସାଜି ସରପଞ୍ଚ ମାନଙ୍କୁ ଅନ୍ୟାୟ କରିବା ପାଇଁ ବାଧ୍ୟ କରୁଛନ୍ତି । ଅନ୍ୟଥା ଅସୁବିଧାର ସମ୍ମୁଖିନ ହେବ ବୋଲି ଧମକ ଦେଉଛନ୍ତି । ଟେମରୀ ଗ୍ରାମପଞ୍ଚାୟତର ମଶାନ କୁଡି ଓ ଟୁମକି ଘାଟ ପୋଖରୀରେ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଅଟକଳରେ କାମ ସରିଯାଇଛି । ମନରେଗା କାମ ସଂପର୍କରେ ସରପଞ୍ଚଙ୍କୁ କୌଣସି ସୂଚନା ମିଲିନାହିଁ । କାର୍ଯ୍ୟାଦେଶ, ମଷ୍ଟର ରୋଲ ପାଇଁ ସରପଞ୍ଚଙ୍କ ଦସ୍ତଖତର ଆବଶ୍ୟକତା ରହିଛି । ତେଣୁ ବିଡିଓ କଳେ ବଳେ କୌଶଳେ ସରପଞ୍ଚଙ୍କ ଠାରୁ କାମ ହାସଳ ପାଇଁ ଗୋଟି ଚାଳନା କରିଛନ୍ତି । ସରପଞ୍ଚ ନିରୁପା ସିଂ ସରକାରଙ୍କ କାର୍ଯ୍ୟକଳାପ ପ୍ରତି କ୍ଷୋଭ ପ୍ରକାଶ କରି କୁହନ୍ତି ଯେ, ଜିଲ୍ଲାପାଳ ପରି କ୍ଷମତାର ଦୁରୁପଯୋଗ କରି ଅନ୍ୟାୟ କରିବାକୁ ପ୍ରଶ୍ରୟ ଦେବେ ନାହିଁ । ଏପରି କରିବା ଦ୍ୱାରା ପଦ ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ । ବରଂ ଜିଲ୍ଲାପାଳ କ୍ଷମତା ପ୍ରତ୍ୟାହାର କରି ସରପଞ୍ଚଙ୍କ ସାମ୍ବିଧାନିକ କ୍ଷମତାରେ ରହି ଉନ୍ନୟନ କାମ କରିବାକୁ ପରାମର୍ଶ ଦିଅନ୍ତୁ । ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବୀ କରି ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ସରକାରଙ୍କ ମନମୁଖୀ ନୀତିର ତୀବ୍ର ସମାଲୋଚନା କରିଛନ୍ତି । ଟେମରୀ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କୁ ଅଣଦେଖା କରି ବିଡିଓଙ୍କ ଏକ ଛତ୍ରବାଦ ଶାସନ, ନାଳୀ ଆଖି ଦେଖାଇ କାର୍ଯ୍ୟ ହାସଳ କରିବା ପ୍ରୟାସ ଯୁକ୍ତିଯୁକ୍ତ ନୁହେଁ । ଦ୍ଵିତୀୟତଃ କରୋନା ମୁକାବିଳା ପାଇଁ କ୍ଵାରେଣ୍ଟାଇନ କେନ୍ଦ୍ରକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଛି । ସରପଞ୍ଚମାନେ କେବଳ ବିଲ ପେମେଣ୍ଟ କରିବେ । ସମସ୍ତ ସାମଗ୍ରୀ ବିଡିଓ କାର୍ଯ୍ୟାଳୟରେ କେତେକ ଅଫିସରଙ୍କ ମର୍ଜିରେ କିଣାଯାଇଛି । କୌଣସି ସରପଞ୍ଚ ପ୍ରତିବାଦ କରିପାରିବେ ନାହିଁ ବୋଲି ହୁଇପ ଜାରୀ କରାଯାଇଛି ବୋଲି ଅଭିଯୋଗ ହୋଇଛି । କରୋନା ଅନୁଦାନର ଅଡିଟ ହୋଇପାରିବ ନାହିଁ ବୋଲି ପ୍ରଚାର ହେବା ମାତ୍ରେ ମନଇଛା ବିଲ କରାଯାଇଥିବା ଅଭିଯୋଗ କରାଯିବା ସହ ଟେମରୀ ମନରେଗା କାମ ଓ କ୍ଵାରେଣ୍ଟାଇନ କେନ୍ଦ୍ର ଗୁଡିକରେ ସାମଗ୍ରୀ କିଣିବା ଦୁର୍ନିତିର ତଦନ୍ତ କରିବାକୁ ଦାବୀ କରାଯାଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ