ଜିକେ ଭଟ୍ଟର ହସ୍ପିଟାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଦିନ ୨ଟାରେ ଜିକେ ଭଟ୍ଟର ହସ୍ପିଟାଲରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ରୋଗୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କାରଣ ଜଣାପଡିନଥିଲେ ମଧ୍ୟ ରକ୍ତ ସଂରକ୍ଷଣ ୟୁନିଟ୍ ପୋଡି ଯାଇଥିବା ସହ କାର୍ଯ୍ୟକ୍ଷମ ନେଇ ଆଶା ମଉଳିଥିବାର କୁହାଯାଇଛି । ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଡାକ୍ତରଖାନା ଏକ ରେଫେରାଲ ୟୁନିଟ୍ । ୬୦ନଂ ଜାତୀୟ ରାଜପଥ ଓ ୫୭ନଂ ରାଜ୍ୟ ରାଜପଥର ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଜରୁରୀ ଚିକିତ୍ସା ଓ ପ୍ରସୂତୀମାନଙ୍କର ଆବାଶ୍ୟକ ରକ୍ତ ଯୋଗାଣ ଲାଗି ଭଟ୍ଟର ଡାକ୍ତରଖାନାରେ ଏକ ରକ୍ତ ସଂରକ୍ଷଣ କେନ୍ଦ୍ର ରହିଛି । କିନ୍ତୁ ଗତ କିଛିମାସ ପୂର୍ବରୁ ଏଥିରେ ଥିବା ଫ୍ରାଜ୍‌ଟି ଅକାମି ହୋଇ ପଡିବାରୁ ରକ୍ତ ସଂରକ୍ଷଣ ହୋଇ ପାରୁନଥିଲା । ଜଳେଶ୍ୱରର ବହୁ ସଂଗଠନ ଏବଂ ବ୍ୟକ୍ତି ବିଶେଷ ରକ୍ତ ସଂରକ୍ଷଣ ମେସିନ୍ ଲାଗି ଦାବି କରି ଆସୁଥିଲେ । ଫଳରେ ଗତ ୨ ଦିନ ଧରି କିଲୋସ୍କର ଟେକ୍ନଲୋଜି ପ୍ରାଇଭେଟ ଲିମିଟେଡ୍ ନାମକ କମ୍ପାନୀ ସ୍ୱାସ୍ଥ୍ୟବିଭାଗରୁ ଆସି ମରାମତି କରିଥିଲା । ଗତ ଗୁରୁବାର ଏଥିରେ ବିଦ୍ୟୁତ୍ ସରବରାହ କରାଯାଇଥିଲା । କିନ୍ତୁ ଆଜି ଅପରାହ୍ନ ୨ଟାରେ ସେହି ଘରୁ ଧୂଆଁ ବାହାରି ସମଗ୍ର ଡାକ୍ତରଖାନାକୁ ଆଚ୍ଛାଦିତ କରିଥିଲା । ଫଳରେ ରୋଗୀ, କର୍ମଚାରୀ ଓ ସେଠାରେ ଥିବା ଜନସାଧାରଣ ଆତଙ୍କିତ ହୋଇ ପଡିଥିଲେ । ଦମକଳ କେନ୍ଦ୍ରକୁ ଖବର ପଠାଯାଇଥିଲେ ମଧ୍ୟ ଆସିବାରେ ବିଳମ୍ବ ଦେଖି ଡାକ୍ତରଖାନା ପରିସରରେ ଥିବା ଅଗ୍ନି ନିରୋଧକ ଯନ୍ତ୍ର ବ୍ୟବହାର କରାଯାଇଥିଲା । ଫଳରେ ନିଆଁ ଆୟତ୍ତ ହୋଇଥିଲା । ଏହାର ତଦନ୍ତ ଲାଗି ବିଭିନ୍ନ ମହଲରୁ ଦାବି ହୋଇଛି ।

ରିପୋର୍ଟ : ଭୂପତି ପରିଡା