ଜାରି ହେଲା ପୂଜା ପାଇଁ ଗାଇଡ୍‌ଲାଇନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଆଜି ପୂଜା ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଆଗକୁ ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ଆସୁଥିବା ବେଳେ ଏସବୁର ପାଳନ ନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କୋରନାକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ । ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୋଲିସ କମିଶନରଙ୍କ ଅନୁମତି ଲୋଡ଼ା । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ । ସାଧାରଣ ଲୋକ ଭାଗ ନେଇ ପାରିବେ ନାହିଁ, ଗହଳି ହୋଇପାରିବ ନାହିଁ । ପୂଜା ମଣ୍ଡପ ତିନି ପାର୍ଶ୍ୱରୁ ସଂପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ୱ ଆଶିଂକ ବନ୍ଦ ରହିବ । ଏମିତି ବନ୍ଦ ରହିବ ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେ ନାହିଁ । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ । ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବ । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେ ନାହିଁ । ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ । ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । କୌଣସି ସଂଗୀତ ବା ମନୋରଂଜନ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ଗାଇଡ୍‌ଲାଇନ୍ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା