ଜାତୀୟ ସ୍ୱାସ୍ଥ୍ୟ ମିଶନରେ ନିର୍ମାଣାଧିନ ଗୃହ କାର୍ଯ୍ୟ ନିମ୍ନମାନର, ପୁରୁଣା ଡାକ୍ତରଖାନାରେ ନାହିଁ ପିଇବା ପାଣି ଓ ଶୌଚର ବ୍ୟବସ୍ଥା : ତଦନ୍ତ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବଡବଜାରଠାରେ ଡିସ୍‌ପେନ୍‌ସରି ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଚାଲିଛି । କିନ୍ତୁ ବିଭିନ୍ନ କାର୍ଯ୍ୟ ନିମ୍ନମାନର ହୋଇଥିବା ବେଳେ ବ୍ୟବହୃତ ଇଟା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇଟାଗୁଡିକ ବ୍ୟବହାର ପୂର୍ବରୁ ବର୍ଷାପାଣିରେ ଧୋଇ ଯାଉଥିବାର ଦେଖିବାକୁ ମିଳିଥିଲା । ଅବଧିର ୩ ମାସ ବିତିଯାଇଥିଲେ ମଧ୍ୟ କାମ ସରିବାର ନାମ ଧରୁନାହିଁ । କେବଳ ଏତିକି ନୁହେଁ ଏଠାରେ ଚିକିତ୍ସାଲାଗି ପ୍ରତିଦିନ ଶତାଧିକ ରୋଗୀ ଆସୁଥିବା ବେଳେ ସେମାନଙ୍କ ବିଶୁଦ୍ଧ ପିଇବାପାଣି ଓ ଶୌଚର ବ୍ୟବସ୍ଥା ନ ଥିବାରୁୀ ଅସନ୍ତୋଷ ଦେଖା ଦେଇଛି । ଘଟଣାରୁ ପ୍ରକାଶ, ସହରର ମଧ୍ୟସ୍ଥଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର (ଡିସ୍‌ପେନ୍‌ସରି)ର ବର୍ହିବିଭାଗ ରୋଗୀ (ଓପିଡି) ନିର୍ମାଣ ଲାଗି ୨୦୧୯-୨୦ ମସିହାରେ ୭୬୯୭୦୦୦ ଟଙ୍କା ମଂଜୁର ହୋଇଥିଲା । ଏହି କାର୍ଯ୍ୟକୁ ଗତ ୧୦-୯-୨୧ରେ ଆରମ୍ଭ ହୋଇଥିବା ବେଳେ ୯-୩-୨୨ରେ ଶେଷ ହେବା କଥା । କିନ୍ତୁ ଏବେବି କାର୍ଯ୍ୟର ୩୫ ଭାଗ ବାକି ପଡିଛି । ଏହି ଗୃହ ନିର୍ମାଣରେ ଜନୈକ ଠିକାଦାର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଥିବାରୁ ବିଭିନ୍ନ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ତ୍ତୃପକ୍ଷ, ଜିଲାପାଳଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଛି । ଶୌଚାଳୟ ନ ଥିବାରୁ ରୋଗୀଙ୍କୁ ବହୁ ହିନସ୍ତା ହେବାକୁ ପଡୁଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ପିଇବାପାଇଁ ଭଳି ସର୍ବନିମ୍ନ ସୁବିଧା ନ ମିଳିବା ସମସ୍ତଙ୍କୁ ଆଶ୍ୱର୍ଯ୍ୟ କରିଛନ୍ତି । ଏହି କାର୍ଯ୍ୟର ସବିଶେଷ ତଥ୍ୟ ଫଳକରେ ଲେଖା ଯିବାର ନିୟମ ଥିବା ବେଳେ ସ୍ୱଚ୍ଛତାପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି । ଏ ସମ୍ପର୍କରେ ଆଜି ସ୍ୱାସ୍ଥ୍ୟ ବିଭାଗର ଇଞ୍ଜିନିୟର ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ପ୍ରାୟ ୭୬ ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ସେଥିରୁ ୩୯୪୮୬୮୦ଟଙ୍କା ବ୍ୟୟ ବରାଦରେ ଗୃହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଅସ୍ଥାୟୀ ଶୌଚାଳୟ ନିମନ୍ତେ ଏବେ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକଳ୍ପଟି ନିର୍ଦ୍ଦିଷ୍ଟ ସମୟରେ ଶେଷ ନ ହେବା ଓ ଜନସାଧାରଣଙ୍କୁ ସୁବିଧାସୁଯୋଗ ପ୍ରାପ୍ତ ହେଉନଥିବା କୁହାଯାଇଛି ।

ରିପୋର୍ଟ : ଭୂପତି ପରିଡା