ଜାତୀୟ କୃମି ନିରାକରଣ ସପ୍ତାହରେ ବିତରଣ ହେବ କୃମି ଔଷଧ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୧ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୃମି ନିରାକରଣ ନିମନ୍ତେ ଔଷଧ ବିତରଣ କରାଯିବ । ଜାତୀୟ କୃମି ନିରାକରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଆଶା ଓ ଅଙ୍ଗନଓ୍ବାଡି କର୍ମୀମାନଙ୍କ ଜରିଆରେ ଏକ ବର୍ଷ ଠାରୁ ଆରମ୍ଭ କରି ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଔଷଧ ସେବନ ନିମନ୍ତେ ଦିଆଯିବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯେ କୋଭିଡ୍ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି, ଏଣୁ ପିଲାମାନେ ଘରେ ଉପସ୍ଥିତ ଅଛନ୍ତି । ଯଦ୍ବାରା ଏହି କାର୍ଯ୍ୟକ୍ରମ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରିବ । ଏଣୁ ସମସ୍ତେ ଯତ୍ନବାନ ସହ ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଜଣାଇଥିଲେଯେ, ଏହି କାର୍ଯ୍ୟକ୍ରମ ବିଗତ ୧୫ ବର୍ଷ ହେଲା ଚାଲୁ ରହିଛି । ଚଳିତ ବର୍ଷ ଜିଲ୍ଲାର ୮ ଲକ୍ଷ ୬୦ ହଜାର ପିଲାଙ୍କୁ କୃମି ଔଷଧ ସେବନ କରିବାକୁ ଦିଆଯିବ । ଅସୁସ୍ଥ ଥିବା ପିଲା ମାନଙ୍କୁ ଏହି ଔଷଧ ଦିଆଯିବ ନାହିଁ । ପରବର୍ତ୍ତୀ ଯୋଜନା କରି ସେମାନଙ୍କ ସ୍ବାସ୍ଥ୍ୟ ଭଲ ହେବା ପରେ ଏହି ଔଷଧ ପ୍ରଦାନ କରାଯିବ । ଏହି ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ହେବ ନାହିଁ । ଏଣୁ ସମସ୍ତେ ସେବନ କରିବା ଜରୁରୀ । ଜିଲ୍ଲାରେ ୨ ଲକ୍ଷ ୭୦ ହଜାର ୩୩୧ ଟି କୃମି ସିରପ୍ ଏବଂ ୫ଲକ୍ଷ ୮୮ ହଜାର ୪୭୦ଟି କୃମି ବଟିକା ପ୍ରଦାନ କରାଯିବାର ଯୋଜନା ରହିଛି । ୭ଲକ୍ଷ ୯୩ ହଜାର ୫୦୩ ଗୃହକୁ ଯାଇ ଏହି ଔଷଧ ବିତରଣ ହେବ । ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜରିଆରେ ଚଳିତ ୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାକୁ ୮୮ କୋଟି ୨୮ ଲକ୍ଷ ୯୬ ହଜାର ଟଙ୍କା ଅନୁଦାନ ପ୍ରାପ୍ତ ହୋଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଅବଗତ କରାଇଥିଲେ । ଏହି ଅନୁଦାନ ଜିଲ୍ଲାର ସମସ୍ତ ବ୍ଲକକୁ ଯୋଜନା ମୁତାବକ ପ୍ରଦାନ କରାଯାଇ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ବିନିଯୋଗ ହେବ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଆର୍. ଜଗଦୀଶ ପଟ୍ଟନାୟକ, ପରିବାର କଲ୍ୟାଣ ବିଭାଗ ସହକାରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ସରୋଜିନୀ ଦେବୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା