ଜାଗୃତି ଜୁମ୍ବା ଏବଂ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାଗୃତି ଆର୍ଟ ଏବଂ କଲଚର ଅନୁଷ୍ଠାନ ତରଫରୁ ସୋମବାର ଦିନ ଜାଗୃତି ଜୁମ୍ବା ଓ ଫିଟ୍‌ନେସ ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକ ଭାରତ୍ତୋଳକ କେ. ରବି କୁମାର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ ବ୍ୟାଙ୍କ କଲୋନୀ ୫ମ ଗଳି (ଟାୱାର ଲାଇନ୍‌)ରେ ଏକବଡ଼ଧରଣର କୋଠାରେ ଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଫିଟ୍‌ନେସ ପଏଣ୍ଟ ଖୋଲାଯାଇଛି । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ । ନିଜକୁ ଫିଟ୍ ରଖି ପାରିଲେ ହିଁ ନିଜର ଇମ୍ୟୁନିଟି ବଢ଼ିବା ସହ ଆଗକୁ ରୋଗ ସହିତ ଲଢ଼ିବାର ଶକ୍ତି ମିଳିବ । ଏହି ପଏଣ୍ଟରେ ଅତ୍ୟାଧୁନିକ ମେସିନ୍ ଲଗାଯାଇଛି । ଯାହାଦ୍ୱାରା ନିଜର ଫିଟ୍‌ନେସ୍ ଅତିଶୀଘ୍ର ଏବଂ ଆରାମରେ ବଢ଼ାଇ ଯାଇପାରିବ । କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାସ୍କ, ଗ୍ଲୋବସ୍‌, ସାମାଜିକ ଦୂରତା ରକ୍ଷା କରି ଏହା ତାହାର ସେବା ଯୋଗଇଦେବ । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ସମୟ ନିର୍ଘଣ୍ଟରେ ଏହା କାର୍ଯ୍ୟ କରିବ ବୋଲି ମୁଖ୍ୟ ବ୍ୟବସ୍ଥାପକ ହେମାଙ୍ଗ ପ୍ରସାଦ ରାଉଳ ଏବଂ ସଂପାଦିକା ରଶ୍ମିତା ପଣ୍ଡା କହିଛନ୍ତି । ଉଦ୍‌ଘାଟନ ସମାରୋହରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଲଳିତ ମଙ୍ଗରାଜ, ସମାଜସେବୀ ଭୀମ ଦଳେଇ, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ପବିତ୍ର ମହାନ୍ତି, ଅଜିତ ପାତ୍ର, ଡ. ସୁବ୍ରସ ସାହୁ, ଡା. ସାଗର ରଂଜନ ତ୍ରିପାଠୀ, ଗୌରାଙ୍ଗ ଚୌଧୁରୀ, ସନତ ପଣ୍ଡା, ସୁଦୀପ ସାହୁ, ବିଶ୍ୱନାଥ ମାରଣାଙ୍କ ସହ ବହୁ ସାମ୍ବାଦିକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଟ୍ରେନର ଭାବେ ଏମ୍‌. ସୁରେଶ କୁମାର, ପ୍ରେମ, କିରଣ ବେହେରା ଫିଟ୍‌ନେସ ପଏଣ୍ଟର କାର୍ଯ୍ୟ ପରିଚାଳନା କରିବେ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା