ଜାଗା ମିଶନରେ ପୁନଃବସତି ସ୍ଥାପନକୁ ଗ୍ରାମବାସୀଙ୍କ ବିରୋଧ : ନିଷ୍ପତ୍ତି ନ ବଦଳାଇଲେ ଅନଶନ କରିବେ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପୌରପାଳିକା ୧୫ନଂ ୱାର୍ଡ ନହଞ୍ଜରା ଠାରେ ଥିବା ସରକାରୀ ଜାଗାରେ ସରକାରଙ୍କ ପକ୍ଷରୁ ବାହାର ଅଂଚଳର ଭୂମୀହିନ ଓ ଗୃହହୀନ ଲୋକଙ୍କୁ ଥଇଥାନ କରାଯିବା କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ଗ୍ରାମର ଏ୧୧.୮୦ଡି ଜାଗା ଯାହାର ଖାତା ନଂ ୩୪୩ ଓ ଖସଡା ନଂ ୩୭୫ ପୂର୍ବରୁ ଗୋଚର ଥିବା ବେଳେ ୨୦୦୯ ମସିହାରେ ଗ୍ରାମବାସୀଙ୍କ ଅଗୋଚରରେ ଏହାର କିଶମ ପରିବର୍ତ୍ତନ କରାଯାଇଛି । ୪୦୦ ପରିବାର ବିଶିଷ୍ଟ ଏହି ଗ୍ରାମର ବାସିନ୍ଦାମାନେ ଉକ୍ତ ଜାଗାରେ ଗାଈ-ଗୋରୁ ଚରାଇବା, ଶ୍ମଶାନ ଭାବେ ବ୍ୟବହାର କରିବା, ସ୍କୁଲର ଖେଳପଡିଆ ଓ ବାର୍ଷିକ ଉତ୍ସବ ପଳାନ କରିବା, ଚଡକ ଯାତ୍ର, ମେଳନ ପଡିଆ ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପଡିଆର କିଛି ଅଂଶକୁ ଚାଷ କାର୍ଯ୍ୟବେଳେ ବ୍ୟବହାର କରି ଆସୁଥିଲେ । ଥଇଥାନ ଯୋଜନାରେ ଉକ୍ତ ଜାଗାକୁ ମାପଚୁପ କରିବାକୁ ଅଧିକାରୀ ମାନେ ଆସିଥିବାରୁ ଏ ସମ୍ପର୍କରେ ଗ୍ରାମବାସୀମାନେ ଜାଣି ବିରୋଧ କରିଥିଲେ । ଅଧିକାରୀମାନେ ସେଠାରେ କେବଳ ମାପଚୁକ କରିବାକୁ ଆସିଥିବା ପ୍ରତିଶୃତି ଦେବାପରେ ସେଠାରେ ମାପଚୁପ ଆରମ୍ଭ ହୋଇଥିଲା । ଗ୍ରାମବାସୀଙ୍କ ବିନା ସହମତିରେ ଚଞ୍ଚକତା କରି ପୌରପରିଷଦ ବୈଠକରେ ଆଲୋଚନା କରାନଯାଇ ସେଠାରେ ପୁନଃ ବସତି ଲାଗି ଯୋଜନା କରାଯାଉଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସାଂସଦ, ବିଧାୟକ, ଜିଲାପାଳ, ଆର୍‌ଡିସି, ତହସିଳଦାର, ପୌରପରିଷଦ ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଇଆଇସିଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଥିଲାଗି ଗ୍ରାମବାସୀମାନେ ଏହାକୁ ବିରୋଧ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରିଥିଲେ । ସରକାର ଯଦି ଏହା ନିଷ୍ପତ୍ତି ନ ବଦଳାଇବେ ତେବେ ଆସନ୍ତା ଦିନରେ ଗ୍ରାମର ଆବାଳ-ବୃଦ୍ଧ-ବନୀତା ପୌରପାଳିକା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ରାମ୍ୟମୁଖ୍ୟ ଦିଲ୍ଲିପ କୁମାର ପରିଡା, ସଂପାଦକ ସୁଧିର କୁମାର ଦାସ, କାଉନ୍‌ସିଲର ଉମା ହେମ୍ବ୍ରମ, ବିରଞ୍ଚି ନାରାୟଣ ଭୂୟାଁ, ଅମୁଲ୍ୟ ଦତ୍ତ, ବିଜୟ ପରିଡା, ଟୁଟୁ ଭୂୟାଁ, ନବିନ କୁମାର ଦେ, ବିକ୍ରମ କେଶରୀ ପରିଡା, ଦୁର୍ଗଶଂକର ଭ୍ରୂୟାଁ, ରବିନ୍ଦ୍ର ଭ୍ରୂୟାଁ, ପ୍ରଶାନ୍ତ ଚାନ୍ଦ, ରବିନ୍ଦ୍ର ପରିଡା ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା