ଜଳେଶ୍ୱର ରେଳ ଓଭରବ୍ରିଜ୍ ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ୨ୟ ପର୍ଯ୍ୟୟ ଉଚ୍ଛେଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହର ମଧ୍ୟ ଦେଇ ଯାଇଥିବା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନୂଆବଜାରଠାରେ ୨୦୧୮ ମସିହାରେ ୬୫ କୋଟି ଟଙ୍କା ବ୍ୟୟରେ ଏକ ରେଳ ଓଭରବ୍ରିଜ୍ ନିର୍ମାଣ ଚାଲିଛି । ମୋଟ ୨୮ଟି ପିଲର ନିର୍ମାଣ ହେବାକୁ ଥିବା ବେଳେ ରେଳ ଲାଇନ୍‌ର ପଶ୍ଚିମ ପଟେ ୧୩ଟି ପିଲର ନିର୍ମାଣ ସରିଛି । ପଶ୍ଚିମ ପଟେ ସରକାରୀ ଜାଗାରେ ଜବରଦଖଲ ଉଚ୍ଛେଦ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ପୂର୍ବପଟେ ଥିବା ଜବର ଦଖଲ ଓ ଅଧିଗ୍ରହଣ ହୋଇଥିବା ଘରୋଇ ଜାଗାକୁ ଉଚ୍ଛେଦ କରାଯାଇଛି । ସରକାରଙ୍କ ପକ୍ଷରୁ ଜମିଅଧିଗ୍ରହଣ ସରିଥିବା କାରଣରୁ ଏହି ପୋଲ ନିର୍ମାଣରେ କୌଣସି ବାଧକ ରହିବ ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ନିହାର ରଂଜନ ବେହେରା କହିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ୨୦୨୦ ମସିହରେ ସରିବାକୁ ଥିବା ବେଳେ ବିଭିନ୍ନ ଅସୁବିଧା କାରଣରୁ ୨୨ ମସିହା ମାର୍ଚ୍ଚ ଶେଷ ହେବ ବୋଲି ଜଣାଯାଇଛି । ଓଭର ବ୍ରିଜ୍‌ର ପୂର୍ବପଟେ ନିର୍ମାଣ ଲାଗି ସୁକାନ୍ତ ଗୋଚ୍ଛାୟତ, ହରେନ୍ଦ୍ର ଗୋଚ୍ଛାୟତ, ନରେନ୍ଦ୍ର ଗୋଚ୍ଛାୟତ ଓ ଜଗନ୍ନାଥ ଗୋଚ୍ଛାୟତଙ୍କ ଘରୋଇ ଜମି ଅଧିଗ୍ରହଣ ସହିତ ସରକାରୀ ନିୟମ ଅନୁଯାୟୀ ଅର୍ଥପୈଠ କରାଯାଇଛି । ହେଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘରଡିହ ଯୋଗାଇ ଦିଆ ନ ଯାଇ ବାସଗୃହକୁ ଭଂଗାଯିବା କାରଣରୁ ଅସନ୍ତୋଷ ବୃଦ୍ଧି ପାଇଛି । ଆଜି ରବିବାର ଏକ ଡାଇଭର୍ସନ ରୋଡ ନିର୍ମାଣ ଲାଗି ଜବର ଦଖଲରେ ଥିବା ଏକ ଘରକୁ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ବେଳେ ଆର୍‌ଏଣ୍ଡବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ । କେତେକ ଘରୋଇ ଜମି ଅଧିଗ୍ରହଣ ହେବାକୁ ଥିବାରୁ ଏହି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ ।