ଜଳେଶ୍ୱର ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ଏକ ଆଇନ୍ ସଚେତନତା ଦିବସ ପାଳିତ ହୋଇ ଯାଇଛି । ମହିଳା ଦିବସ ଅବସରରେ ମହାବିଦ୍ୟାଳୟରେ ଅବସ୍ଥିତ ବାଳିକା ମାନଙ୍କୁ ଅଧିକ ସଚେତନ ଓ ଆଇନ୍ ସଂପର୍କରେ ଜ୍ଞାନ ଦେବାଲାଗି ଏପରି ଏକ ଶିବିର ଆୟୋଜନ ହୋଇଥିଲା । ଏଥିରେ କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଅଧ୍ୟକ୍ଷତା କରିଥିଳେ । ମୁଖ୍ୟ ଅତିଥିଭାବେ ମୁନ୍‌ସଫ ତଥା ସିଭିଲ ଜଜ୍ (ଜୁନିୟର ଡିଭିଜନ୍‌) ପାର୍ଥ ପ୍ରତିକ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଛାତ୍ରୀମାନେ ନିଜକୁ ସୁରକ୍ଷା ଦେବା ସହିତ ଅନ୍ୟକୁ ସୁରକ୍ଷିତ ରଖିବା ଏବଂ ସାମାଜିକ ସ୍ତରରେ ମହିଳା ଓ ବାଳିକାଙ୍କ ପ୍ରତି ଅପରାଧକୁ ରୋକିବାଲାଗି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏଥିଲାଗି ଭାରତୀୟ ସମ୍ବିଧାନରେ ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତାଭାବେ ଜଳେଶ୍ୱର ଓକିଲ ସଂଘର ସଭାପତି ଅନୀଲ କୁମାର ପରିଡା ଯୋଗଦେଇ ପ୍ରଚଳିତ ଆଇନ୍‌ର ବିଭିନ୍ନ ଦିଗ ଓ ମହିଳାଙ୍କ ପ୍ରତି ହିଂସା ଓ ଅସୌଜନ୍ୟ ପ୍ରଦର୍ଶନ କରୁଥିବା ଅପରାଧ ପ୍ରତି ଥିବା ଆଇନ୍ ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଆଇନ୍‌ଜିବୀ ତଥା ମନିଟରିଂ କମଟି ସଦସ୍ୟ ସୁନୀଲ କୁମାର ଜେନା ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ଡ. ଲିପ୍‌ସା ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଣୟ କୁମାର ନାୟକ, ଧନଞ୍ଜୟ ସିଂ ଓ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପକ ସଂଗ୍ରମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା