ଜଳେଶ୍ୱର-ଭୁବନେଶ୍ୱର ରେଳ ଓ ଉତ୍କଳ ଏକ୍ସପ୍ରେସ୍ ରହଣି ଲାଗି ଜଳେଶ୍ୱରବାସୀ ଅଣ୍ଟା ଭିଡିଲେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱରରୁ ଭୁବନେଶ୍ୱର ଯାତାୟାତ କରୁଥିବା ମେମୁକୁ ଜଳେଶ୍ୱରଯାଏ ସମ୍ପ୍ରସାରଣ ଓ ଡାଉନ୍ ଉତ୍କଳ ଏକ୍ସପ୍ରେସର ରହଣିଲାଗି ଆଜି ସମାଜ କଲ୍ୟାଣ ବିକାଶ ପରିଷଦର ସଭାପତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ସମାଜ କଲ୍ୟାଣ ବିକାଶ ପରିଷଦର କାର୍ଯ୍ୟାଳୟ ଠାରେ ଆୟୋଜିତ ବୈଠକରେ ଶ୍ରୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ରାମଚନ୍ଦ୍ର ଜେନା, ରେଳ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ ଜଳେଶ୍ୱର ରେଳଯାତ୍ରୀଙ୍କ ଅସୁବିଧା, ଆବଶ୍ୟକତା ସମ୍ପର୍କରେ ପ୍ରକାଶ କରିବା ସହିତ ୧୪ ଦଫା ଦାବି ସମ୍ବଳିକ ଦାବିପତ୍ର ଅନ୍ୟ ସଂଗଠନ ସହିତ ମିଳିତ ଭାବେ ରେଳମନ୍ତ୍ରୀଙ୍କୁ ଦେଇଥିବା ପ୍ରକାଶ କରିଥିଲେ । ବଣିକ ସଂଘର ସଭାପତି ସୁଧିର ମହାନ୍ତି, କାର୍ଯ୍ୟକାରୀ ସଭାପତି ବିଜୟ କାମିଳା, ବରିଷ୍ଠ ନାଗରିକ ପରିଷଦର ସଭାପତି ଡ. ରମାକାନ୍ତ ଭଂଜ, ସଂପାଦକ ଲଳିତ ରଂଜନ ସେନାପତି, ଦିଲ୍ଲିପ ଗିରି ଓ ଅନ୍ୟ କେତେକ ସଂଗଠନ, ବ୍ୟକ୍ତିବିଶେଷଙ୍କ ସହାୟତାରେ ଏପରି ସ୍ମାରକପତ୍ର ଦିଆଯାଇଥିବାର ପ୍ରକାଶ କରିଥିଳେ । କୋଭିଡ୍ କଟକଣା ପରେ ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀଙ୍କୁ ଭେଟି ଅନ୍ୟାନ୍ୟ ଦାବି ଉପସ୍ଥାପନ କରିବା ସଂପର୍କରେ ସଭାପତି ଶ୍ରୀ ମହାନ୍ତି ଆଲୋଚନା ପରେ ଘୋଷଣା କରିଥିଲେ । କିନ୍ତୁ ନୂତନ ଭାବେ ବାଲେଶ୍ୱରରୁ ଭୁବନେଶ୍ୱର ଚଳାଚଳ କରୁଥିବା ମେମୁ ଟ୍ରେନ୍ କୁ ଜଳେଶ୍ୱର ଯାଏ ସମ୍ପ୍ରସାରଣ ଓ ଡାଉନ୍ ଉତ୍କଳ ଏକ୍ସପ୍ରେସ୍ ଜଳେଶ୍ୱରରେ ରହଣିଲାଗି ଶ୍ରୀ ମହାନ୍ତି ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରକାଶଯୋଗ୍ୟ ଜଳେଶ୍ୱରରୁ ହାୱଡା ଯାଉଥିବା ଟ୍ରେନ୍ ପାଇଁ ଏକ ଲୋଲେଭେଲ ପ୍ଲାଟଫର୍ମ ଲାଗି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବାରୁ ମେମୋଟ୍ରେନ୍‌ଟି ସେଠାରେ (ୱାର୍ଡ) ଅବସ୍ଥାପିତ ହେବାରେ ଅସୁବିଧା ହେବନାହିଁ ବୋଲି ସଦସ୍ୟମାନେ କହିଥିଲେ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ, ଜିତାରାମ ଦେ, ଡ. ଅଜିତ୍ ମହାନ୍ତି, ଶରତ ପରିଡା, ବନମାଳି ଧଳ, ସିଦ୍ଧେଶ୍ୱର ପଣ୍ଡା, ଆଦିତ୍ୟନାରାୟଣ ପାତ୍ର, ଅତ୍ୟନାରାୟଣ ଦାସ ଓ ଅବନୀ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା