ଜଳେଶ୍ୱର ବ୍ଲକରେ ୧୧ ପଞ୍ଚାୟତ ଆଦିବାସୀ ଅଧୁସୀତ-ସଂରକ୍ଷଣରେ ଜନଜାତିକୁ ଉପେକ୍ଷା : ଆନ୍ଦୋଳନ ପାଇଁ ବିଜେପିର ସଜବାଜ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ଜଳେଶ୍ୱର ବ୍ଳକ ଆଦିବାସୀ ଜନସଂଖ୍ୟାରେ ୨ୟ ବୃହତ୍ ବ୍ଲକ ହୋଇଥିବା ବେଳେ ଏହାର ୧୧ଟି ପଞ୍ଚାୟତରେ ଆଦିବାସୀଙ୍କ ସଂଖ୍ୟା ଅଧିକ । କିନ୍ତୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଂଚ ଓ ସମିତି ସଦସ୍ୟ ପଦବୀ ସଂରକ୍ଷଣ ନଥିବାରୁ ଆଜି ବିଜେପି ବିଷୋଦ୍‌ଗାର କରିଛି । ସେମାନଙ୍କୁ ନ୍ୟାୟ ନ ମିଳିଲେ ବିଜେପି ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ଓ ଜନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି । ୧୯୯୨ ମସିହା ବିଜୁବାବୁ ତ୍ରୀସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ସରପଞ୍ଚ ଓ ସଦସ୍ୟ ପଦବି ଲାଗି ସଂରକ୍ଷଣର ବ୍ୟବସ୍ଥା ରହିଛି । କିନ୍ତୁ ୨୦୨୨ରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନରେ ଜଳେଶ୍ୱର ବ୍ଳକ ସହିତ ଅନ୍ୟ କେତେକ ବ୍ଳକରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ନ ରହିବା ଦୁର୍ଭାଗ୍ୟର ବିଷୟ । ଜଳେଶ୍ୱର ବ୍ଲକର ମୋଟ ୩୫ଟି ପଞ୍ଚାୟତ ମଧ୍ୟରୁ ୧୧ଟି ଆଦିବାସୀ ବହୁଳ । ତେଣୁ ସେଠାରେ କେନ୍ଦ୍ର ସରକାରଙ୍କ ରୁରବାନ, ମାଡା ଭଳି ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି । ସାମାଜିକ ସ୍ତରରେ ସେମାନଙ୍କୁ ଅନ୍ୟମାନଙ୍କ ସହ ସମକକ୍ଷ କରିବା ଲାଗି ବ୍ୟବସ୍ଥା ଚାଲିଥିବା ବେଳେ ୨୦୨୨ ନିର୍ବାଚନରେ ସେମାନଙ୍କ ଲାଗି ସଂରକ୍ଷଣ ନ ରହିବାକୁ ବିଜେପି ବରଦାସ୍ତ କରିବନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି । ସମଗ୍ର ବ୍ଳକର ୨୫ ପ୍ରତିଶତରୁ ଅଧିକ ଜନଜାତି ଲୋକେ ବାସ କରୁଥିବାରୁ ପଂଚାୟତ ସମିତି ଅଧ୍ୟକ୍ଷ ପଦ ସଂରକ୍ଷଣ ନ ହେବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଗତ ୫ଟି ନିର୍ବାଚନରେ ସଂରକ୍ଷଣ ଥିବା ବେଳେ ଉଚ୍ଛେଦ କାହା ସ୍ୱାର୍ଥରେ । ଏପରି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ବିଜେପି ଆଇନ୍‌ରେ ଆଶ୍ରୟ ନେବ ଓ ଆନ୍ଦୋଳନ ଅବ୍ୟାହତ ରଖିବ ବୋଲି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ଗଦାଧର ସିଂ, ଗଣେଶ ସରେନ୍‌, ଅଜିତ୍ ସିଂ ଓ ଜତିନ୍ ସିଂ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା