ଜଳେଶ୍ୱରରେ ୮୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗର ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥର ସାଇ ଫିଲିଙ୍ଗ ଷ୍ଟେସନ ନିକଟରେ ଆଜି ଗୁରୁବାର ଭୋର ସମୟରେ ୮ଶହ ଗ୍ରାମ ବ୍ରାଉନ୍‌ସୁଗର ସହିତ ୨ଜଣ ସଂଗ୍ଧିଧ ଯୁବକଙ୍କୁ ଏସ୍‌ଟିଏଫ ଟିମ୍ ଗିରଫ କରିବାରେ ସଫଳ ହୋଇଛି । ପୂର୍ବ ସୂଚନା ଅନୁଯାୟୀ ସେମାନେ ନିକଟସ୍ଥ ଏକ ହୋଟେଲ ଉପରେ ଛାପା ମାରିଥିଲେ । ଜଳେଶ୍ୱର ଥାନା ଅନ୍ତର୍ଗତ ସେକ୍‌ବାର୍ଡ (ଝାଡେଶ୍ୱରପୁର)ଗାଁର ସେକ୍ ନସୀମ ଓ ଶାଳିକୋଠା ଗ୍ରାମର ଗୌରୀଶଂକର ପଣ୍ଡା ଓରଫ ଟିଟୁକୁ ଗିରଫ କରାଯାଇଛି । ଜବତ୍ ହୋଇଥିବା ବ୍ରାଉନ୍‌ସୁଗରର ମୂଲ୍ୟ ପ୍ରାୟ ୮୦ଲକ୍ଷ ଟଙ୍କା ହେବ ବୋଲି ଆକଲନ କରାଯାଇଛି । ଅତୀତରେ ଟୁଟୁ ଜଳେଶ୍ୱରର ଏକ ଗ୍ୟାସ୍ ଏଜେନ୍ସିରେ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ କିଛିଦିନ ତଳେ ଜଳେଶ୍ୱରର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ସହିତ ଜଣେ ଧଳାଜହର ମାଫିଆଙ୍କ ସଂପୃକ୍ତି ଓ ଅଡିଓ ଭାଇରାଲ ହେବାପରେ ତାହା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରରେ ରହିଛି । ମାତ୍ର ଆଜି ଏତେ ପରିମାଣର ଧଳଜହର ଧରାହେବା ସହରରେ ଆଲୋଡନ ସୃଷ୍ଟି ହୋଇଛି । କେବଳ ଏହି ୨ ଯୁବକ ନୁହନ୍ତି ଜଳେଶ୍ୱର ଅଂଚଳର ବହୁ ବ୍ୟକ୍ତିଙ୍କର ସଂପୃକ୍ତି ଓ ଏହି କାରବାରରେ ବଡ ବଡ ଲୋକଙ୍କ ପୁଂଜି ନିବେଶ ସହିତ କିଛି ରାଜନୈତିକ ବ୍ୟକ୍ତିଙ୍କ ହାତଥିବାର ସାଧାରଣରେ ଆଲୋଚନା ହେଉଛି । ଭବିଷ୍ୟତରେ ଜଳେଶ୍ୱରରୁ ଧଳାଜହର କାରବାର କେବେ ମୁକ୍ତ ହେବ ତାହା ଦେଖିବାକୁ ବାକି ରହିଲା ।