ଜଳେଶ୍ୱରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା : ୧୪୩୯ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ବ୍ଳକରେ ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଉଛି । ଜଳେଶ୍ୱର ବ୍ଲକ ଅଧିନ ଦକ୍ଷିଣପ୍ରହରାଜପୁର ପଞ୍ଚାୟତର ଗୁଆଗଡିଆ ଠାରେ ଆଜି ଅନୁଷ୍ଠିତ ସ୍ୱାସ୍ଥ୍ୟଶିବିରକୁ ସାଂସଦ ପ୍ରତାପ ଷଡଙ୍ଗୀ ଉଦ୍‌ଘାଟନ କରି ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ ମୃତ୍ୟଞ୍ଜୟ ମିଶ୍ର, ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାସ ନାୟକ, ପୂର୍ବତନ ନଗରପାଳ ପ୍ରବିର ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳର ଲୋକମାନଙ୍କ ଲାଗି ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପିଏଚ୍‌ଇଓ ଫକୀର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୨୭ଟି ଷ୍ଟଲରେ ୧୨ଜଣ ଡାକ୍ତର ଓ ୪୭ଜଣ ସ୍ୱାସ୍ଥ୍ୟକର୍ମୀ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଏହି ଶିବିର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ସ୍ତ୍ରୀ ଓ ପ୍ରସୂତୀ, ଭେଷଜ, ଅସ୍ଥି, ଶିଶୁ ରୋଗ, ଦାନ୍ତ, ସର୍ଜରୀ ଓ ଶଲ୍ୟ, ଚର୍ମ, ଆଖି, ଦାନ୍ତ-ନାଶା-ଗଳା ବିଭାଗ ସହିତ ଯୋଗ, ଆୟୋର୍ବେଦିକ ଓ ହୋମିୟପାଥିକ ବିଭାଗରେ ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ରୋଗୀ ମାନଙ୍କୁ ଚିକିତ୍ସା କରାଇଥିଲେ । ଏଥିରେ ମୋଟ ୧୪୩୯ଜଣ ରୋଗୀ ନାମ ପଂଜିକରଣ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବ୍ଳକ ପ୍ରୋଗ୍ରାମ୍ ମ୍ୟାନେଜର ସ୍ମିତାରାଣୀ ପ୍ରମାଣିକ, ଏକାଉଣ୍ଟ ମ୍ୟାନେଜର କ୍ଷୀରୋଦ ପରିଡା, ବିଡିଏମ୍ ସୁକାନ୍ତି ଜେନା, ସିଡିପିଓ ନିହାରିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା