ଜଳେଶ୍ୱରବାସୀଙ୍କୁ ବନ୍ୟା ସହାୟତା ନେଇ ପ୍ରଶ୍ନବାଚୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାର ବନ୍ୟା ଓ ପଶ୍ଚିମବଂଗରୁ ଗଡି ଆସିଥିବା ଉଦ୍‌ବୃତ୍ତ ବର୍ଷାପାଣି ଦ୍ୱାରା ଜଳେଶ୍ୱର ବ୍ଲକ ଅଂଚଳରେ ବ୍ୟାପକ କ୍ଷତି ଘଟିଥିଲେ ମଧ୍ୟ କୃଷିବିଭାଗ ଓ ରାଜସ୍ୱ ବିଭାଗର ମିଳିତ ରିପୋର୍ଟରେ କ୍ଷତି ଘଟିନଥିବା ଦର୍ଶାଯାଇଛି । ତେଣୁ ବନ୍ୟାଲାଗି ରାଜ୍ୟ ସରକାରଙ୍କ ସହାୟତା ଜଳେଶ୍ୱରବାସୀ ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚଳିତ ଖରିଫ ଋତୁରେ ୧୯୭୮୦ ହେକ୍ଟର ଧାନଚାଷ, ୧୯୮୦ ହେକ୍ଟର ପରିବା ସହିତ ମୋଟ ୨୨୫୬୦ ହେକ୍ଟର ଜମିରେ ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କିନ୍ତୁ ପ୍ରତିକୂଳ ପାଗ ସତ୍ୱେ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଓ ପରେ ସୁବର୍ଣ୍ଣରେଖାର ବନ୍ୟା ହେବାରୁ ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ, ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ରାୟାଁରାମଚନ୍ଦ୍ରପୁର, ଗଡସାହି ବାଲିଆପାଳ ପଂଚାୟତର କ୍ଷତି ଘଟିଥିଲା । ପ୍ରରଥମିକ ଆକଳନରୁ ପ୍ରାୟ ୮ହଜାର ହେକ୍ଟର ଜମି ଜଳବନ୍ଦି ଥିବାର ଦର୍ଶାଯାଇଥିଲା । ବନ୍ୟାବେଳେ ବିଭିନ୍ନ ଗ୍ରାମରେ ସହାୟତା ମଧ୍ୟ ଦିଆଯାଇଥିଲା । ବିଶେଷ କରି ଘଣ୍ଟିଆଡି, ଝାଡପିମ୍ପଳ, ବାଇଗଣବାଡିଆ, ଛୋଟଖାନପୁର, ଆକନା, କାଳିକାପୁର, କଣ୍ଟାପାଳ, ବାଇଗଣବାଡିଆ, ଦେବକୁମାର ଓ ନମକନା ଗାଁର ୩୮୦୫ ପରିବାରକୁ ରିଲିଫ ମଧ୍ୟ ଦିଆଯାଇଥିବା ଜଳେଶ୍ୱର ବ୍ଲକ ସୂତ୍ରରୁ ପ୍ରକାଶ । କିନ୍ତୁ ପରବର୍ତ୍ତୀ ସମୟରେ କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ତଦନ୍ତ ପରେ ଜଳେଶ୍ୱର ବ୍ଲକରେ କୃଷି ଜନୀତ କ୍ଷତି ହୋଇନଥିବା ସରକାରଙ୍କୁ ଦର୍ଶାଯାଇଛି । ଏବେ ରାଜ୍ୟ ସରକାର ବନ୍ୟାଜନୀତ କ୍ଷୟକ୍ଷତି ଲାଗି ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିବା ବେଳେ ଏହି ବ୍ଲକରେ କ୍ଷୟକ୍ଷତି ଘଟିନଥିବା ସରକାରୀ ରିପୋର୍ଟ ଯୋଗୁଁ ଗରିବଚାଷୀମାନେ କିଛି ସହାୟତା ନ ପାଇବା ସମ୍ଭାବନା ଦେଖା ଦେଇଛି । ଫଳରେ ଜନଅସନ୍ତୋଷ ହେବାର ସମ୍ଭବନା ରହିଛି ।ଏ ସଂପର୍କରେ ଜଳେଶ୍ୱର କୃଷିଜିଲା ଅଧିକାରୀ ଅନ୍ତର୍ଯ୍ୟାମୀ ଧିରଙ୍କ ମତାମତ ଲୋଡିବାରୁ ସେ କହିଲେ କୃଷି ବିଭାଗକୁ ରାଜସ୍ୱ ବିଭାଗ ଉପରେ ନିର୍ଭର କରିବାକୁ ପଡୁଥିବାରୁ ମିଳିତ ରିପୋର୍ଟରେ ଏହା ଦର୍ଶାଯାଇଛି । ଅନ୍ୟ ସରକାରୀ ସହାୟତା ନ ମିଳିଲେ ମଧ୍ୟ ସାଧାରଣ ଭାବେ ମିନି କିଟ୍ ଚାଷୀମାନଙ୍କୁ ବଣ୍ଟାହେବା ସଂପର୍କରେ କହିଛନ୍ତି । ଅନ୍ୟପକ୍ଷରେ ଏ ସଂପର୍କରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ମତାମତ ଲୋଡିବାରୁ ଏପରି ସରକାରୀ ରିପୋର୍ଟକୁ ନାପସନ୍ଦ କରି ଜିଲାପାଳ ଓ କୃଷି ନିର୍ଦ୍ଦେଶଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବନ୍ୟା କ୍ଷୟକ୍ଷତି ନେଇ ସରକାରୀ ରିପୋର୍ଟ ଜଣାଯିବାପରେ ବିଭିନ୍ନ କୃଷକ ସଂଗଠନ, ବରିଷ୍ଠ ଚାଷର, ବୟବୃଦ୍ଧ ଚାଷୀଙ୍କ ସହ କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ, କୃଷକଙ୍କ ଲାଗି ଲଢି ଆସୁଥିବା ଦିଲ୍ଲିପ ଗିରି, ଶିଶିର ହୁଇ, ସୀତାଂଶୁ ନନ୍ଦି, ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ, ସୁବ୍ରତ ଘୋଷ, ସମୀର ପାତ୍ର ପ୍ରମୁଖ କ୍ଷୋଭ ପ୍ରକାଶ କରି ଆଗାମୀ ଦିନରେ ବିକ୍ଷୋଭ କରିବେ ବୋଲି କହିଛନ୍ତି ।