ଜଳାଭିଷେକ ଯାତ୍ରା ବା ଜନ୍ମବାସର ଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଓ ପହଣ୍ଡି ବିଜେ…

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।ପୁରାଣ ପ୍ରଥିତ ପୁରୁଷୋତ୍ତମ କ୍ଷେତ୍ର ଯେତିକି ମହମାନ୍ୱିତ,ସେଠାରେବିରାଜିତ ମହା ପ୍ରଭୁ ସେତିକି ଅସାମାନ୍ୟ ଓ ଆଶ୍ଚର୍ଯ୍ୟମୟ । ଭକ୍ତ ତାଙ୍କର ସମସ୍ତ ଆଶ୍ଚର୍ଯ୍ୟଜନକ ପରି ପ୍ରକାଶକୁ ଦେଖି, ଶୁଣି ଓ କହି ଏକାଧାରରେ ହୁଏ ଆଚଞ୍ଚିତ ଓ ଆନନ୍ଦିତ । ଆକାରରେ ଆଶ୍ଚର୍ଯ୍ୟ ପୁଣି ଆଚାରରେ ମଧ୍ୟ ଆଶ୍ଚର୍ଯ୍ୟର ଭୂରି ଭୂରି ଅଭିବ୍ୟକ୍ତିରେ ପୁଷ୍କଳ ସେହି ପରମ ପୁରୁଷ । ଦାରୁଦେହରେ ନରଲୀଳା ରଚନାରେ ଧୁରନ୍ଧର ସେ । ଦାରୁଶରୀରରେ ଅଚଳତା ପ୍ରକଟ କରୁଥିବା ଲୀଳାମୟ ମାନବୋଚିତ ଲୀଳାବିସ୍ତାର ନିମନ୍ତେ ହୁଅନ୍ତି ସଚଳ । ବାରମାସରେ ତେର ଯାତ୍ରାର ସଂରଚନାରେ ପ୍ରବୀଣ ପୁରୁଷୋତ୍ତମଙ୍କ ରହିଛି ଦୁଇଟି ସ୍ୱୟଂଲୀଳା । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଓ ଅନ୍ୟଟି ଆଷାଢ-ଶୁକ୍ଳ-ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା । ଗୋଟିଏ ଖରାକାଳର ଅନ୍ତିମ ଚରଣରେ ଓ ଅନ୍ୟଟି ବର୍ଷାକାଳର ଆଦ୍ୟ ପର୍ଯ୍ୟାୟରେ । ଏଇ ଉଭୟ ତିଥିରେ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କ ପ୍ରତ୍ୟକ୍ଷ ସଂଚରଣ ଲକ୍ଷ୍ୟ କରାଯାଏ । ଆତ୍ମୀୟ-ପାର୍ଷଦ-ଦାରା-ଧନାଦିକୁ ଛାଡି ଭକ୍ତସମୂହର ଐକାନ୍ତିକ-ଆକାଂକ୍ଷାକୁ ପରି ପୂର୍ଣ୍ଣ କରିବା ପାଇଁ ତଥା ଭକ୍ତ ସହ ସଚଳିତ ହେବାରେ ସ୍ୱକୀୟ ଅନିବାର-ଆଗ୍ରହକୁ ଚରିତାର୍ଥ କରିବା ସକାଶେ ସେ ଓହ୍ଲାଇ ଆସନ୍ତି ରତ୍ନବେଦୀରୁ ତଳକୁ ଓ ଶ୍ରୀମନ୍ଦିରର ବହିର୍ଭାଗକୁ । ଏପରିକି ରଥଯାତ୍ରା ପାଇଁ ଚାଲି ଆସନ୍ତିବଡଦାଣ୍ଡ ଉପରକୁ ଓ ଆରୋହଣ କରନ୍ତି ରଥ ।ଏ ପ୍ରକାର କ୍ରମ ଦେଖି ବେଦାନ୍ତବିତ୍ମାନେ ହୁଅନ୍ତି ଅବାକ୍ । ବେଦାନ୍ତ ଯାହାଙ୍କୁ ନିରାକାରବ୍ରହ୍ମ ବୋଲିବର୍ଣ୍ଣନା କରି କୁହନ୍ତି ଯେ ତାଙ୍କର ପାଣି-ପାଦ-ନାସା-କର୍ଣ୍ଣ-ଚକ୍ଷୁ କିଛି ନାହିଁ ବୋଲି, ସେଇବ୍ରହ୍ମ ଦାରୁକଳେବର ଧାରଣ ପୂର୍ବକ ବିଶାଳ- ପଦ୍ମ ପଲାଶ-ଲୋଚନରେ ସମଗ୍ରବ୍ରହ୍ମାଣ୍ଡରେ କୃପାବର୍ଷଣ କରି ପ୍ରଶସ୍ତ ରଙ୍ଗାଧରରେ ଆନନ୍ଦର ଅମ୍ଳାନ ହାସକୁ ଫୁଟାଇ, ଭକ୍ତର ସମାଲିଙ୍ଗନରେ ସମୃଦ୍ଧ ବିପୁଳ ଭୁଜଦ୍ୱୟକୁ ବିସ୍ତାରି ରାଜକୀୟ ଆଟୋପରେ ଟାହିଆ ବିମଣ୍ଡିତ ହୋଇ, ମନ୍ଦ୍ର-ମଧୁର ଗତିରେ ମଦମତ୍ତ-ହସ୍ତୀତୁଲ୍ୟ ଅଦୃଶ୍ୟ ପଦ ପାତର ଚଳମାନ-ଭଙ୍ଗୀରେ ରଥକୁ ଆରୋହନ୍ତି ଓ ଯାତ୍ରା-ଲୀଳାର ଶେଷରେ ପୁନର୍ବାର ପଦ ପାତ କରିବାହୁଡି ଯାଆନ୍ତି ଶ୍ରୀମନ୍ଦିରକୁ । ଅପାଣି-ପାଦ ପରଂବ୍ରହ୍ମଙ୍କ ଏହି ଜୀବୋଚିତବାବିଶେଷକରି ନରୋଚିତ ଚଳନକୁ ପୁରୀବୋଲିରେ ବୋଲାଯାଏ ପହଣ୍ଡି.ସମଗ୍ର ସ୍ୱୟଂଲୀଳାରେ ପହଣ୍ଡି ହିଁ ସର୍ବଶ୍ରେଷ୍ଠ ଅଙ୍ଗ ଓ ସଚରାଚର ବିଶ୍ୱବ୍ରହ୍ମାଣ୍ଡର ପରମ-ଆକାଂକ୍ଷିତ ମୁହୂର୍ତ୍ତ ।ଏହି ମହାପର୍ବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମ ଦିନ ରୂପେ ମଧ୍ୟ ପୌରାଣିକ ମାନ୍ୟତା ହେତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ.ସ୍କନ୍ଦ ପୁରାଣ ରେ ଉଲ୍ଲେଖ ଅଛି ରାଜା ଇନ୍ଦ୍ରଦ୍ୟୁମନା ପ୍ରଥମ ଥର ପାଇଁ ଚତୁର୍ଦ୍ଧା ମୂରତି ସ୍ଥାପନ ଆନୁକୁଳ୍ୟ ରେ ଏହି ସମାରୋହର ଆୟୋଜନ କରିଥିଲେ.ଏହି ଶୁଭ ଦିନ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ ଏବଂ ମଦନମୋହନଙ୍କୁ ଶ୍ରୀ ମନ୍ଦିର ରୁ ପହଣ୍ଡି କରାଇ ସ୍ନାନା ବେଦୀକୁ ଶୋଭାଯାତ୍ରା କରାଯାଇ ଥାଏ ଏବଂ ସେଠାରେ ଆନୁଷ୍ଠାନିକ ଭାବେ ଏକ ଶହ ଆଠ କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଏ।ସନ୍ଧ୍ୟା ରେ ଦେବ ସ୍ନାନ ରୀତିନୀତିର ସମାପ୍ତି ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଦେବ ଜୀଉ ଙ୍କୁ ଭଗବାନ ଗଣେଶ ଙ୍କ ପ୍ରତିନିଧିତ୍ୱ କରାଇ ହସ୍ତୀ ମସ୍ତକ ରୂପକ ଆବରଣ ପରିଧାନ କରାଯାଏ।ଏହି ପରମ୍ପରା ଗଜାନନ ବେଶ ନାମ ରେ ସୁବିଖ୍ୟାତ।ସ୍ନାନା ଯାତ୍ରା ସମାପନ ପରେ ଭଗବାନମାନେ ପାରମ୍ପାରିକ ଭାବରେ ଅସୁସ୍ଥ ହୋଇଥାନ୍ତି ତଥା ସୁସ୍ଥ ହେବା ପାଇଁ ଅଣସର ଗୃହ ନାମକ ଏକ ରୁଦ୍ଧ କୋଠରୀରେ ବିଶ୍ରାମ ନିଅନ୍ତି ଏବଂ ଦଶମୂଳି ଔଷଧ ସେବନ କରନ୍ତି।ସ୍ନାନ ପୁର୍ଣିମା ଠାରୁ ଶ୍ରୀଗୁଣ୍ଡିଚା ରଥ ଯାତ୍ରା ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ରେ ଚତୁର୍ଦ୍ଧା ମୂରତି ଦର୍ଶନ ମିଳିନଥାଏ,ଏହି ସମୟରେ ମହାପ୍ରଭୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠ ରେ ପ୍ରଭୁ ଅଲାରନାଥ ରୂପେ ଦର୍ଶନ ଦିଅନ୍ତି ।

ଉପସ୍ଥାପନା : ଦାମୋଦର ପାଢ଼ୀ, ଅବସରପ୍ରାପ୍ତ ଡିପିଆରଓ