ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ସଂପର୍କୀୟମାନେ ଭାଙ୍ଗିଲେ ଆବାସ ଯୋଜନା ଘର : ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଘରୋଇ ଜମିର ଭାଗ ବଣ୍ଟରାକୁ ନେଇ ପରିବାରର ପ୍ରତିପକ୍ଷମାନେ ଜନୈକ ମହିଳାଙ୍କ ବିବାହିତ ଝିଅକୁ ମାରଧର କରିବା, ରାସ୍ତାରେ ଘୋଷାରିବା ଇତ୍ୟାଦିକୁ ନେଇ ରାଇବଣିଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ଗାଁର ପ୍ରମିଳା ବିଶ୍ୱାଳଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଏକ ଘର ମିଳିଥିଲା । ତାଙ୍କ ପୈତୃକ ସମ୍ପତ୍ତି ଗ୍ରାମ୍ୟବିଚାରକ ମାନଙ୍କ ଦ୍ୱାରା ବଣ୍ଟରା ହୋଇ ଯେ ଯାହାର ଅଂଶ ଭୋଗ ଦଖଲ କରି ଆସୁଥିଲେ । ପ୍ରମିଳା ବିଶ୍ୱାଳ ତାଙ୍କ ଅଂଶ ସ୍ଥାନରେ ଆବାସ ଯୋଜନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ପ୍ରତିପକ୍ଷମାନେ ସଂଘବଦ୍ଧ ହୋଇ ଗତ ଶନିବାର ନିର୍ମାଣାଧିନ ଗୃହର ଇଟାକାନ୍ଥ ଭାଂଗି ଦେଇଥିଲେ । ଉକ୍ତଦିନ ପ୍ରମିଳାଙ୍କ ବିବାହିତ ଝିଅ ରାଇବଣିଆର ନଟାବାଡ ଗାଁର ସଂଜୟ ଘୋଷଙ୍କ ସ୍ତ୍ରୀ ତୁଳସୀ ବାପଘରକୁ ଆସିଥିବା ବେଳେ ଏହି ଘଟଣାରେ ପ୍ରତିବାଦ କରିଥିଲା । କିନ୍ତୁ ପ୍ରତିପକ୍ଷ ନିରଞ୍ଜନ ବିଶ୍ୱାଳ, ମୃତ୍ୟୁଞ୍ଜୟ ବିଶ୍ୱାଳ, ବାଦଲ ବିଶ୍ୱାଳ, ଦିପକ ବିଶ୍ୱାଳ, ବିଦ୍ଧେଶ୍ୱର ବିଶ୍ୱାଳ, ରୀନା ବିଶ୍ୱାଳ ଓ ଘରର ଅନ୍ୟସ୍ତ୍ରୀ ଲୋକମାନେ ତୁଳସୀକୁ ମାରଧର, ରାସ୍ତାରେ ଘୋଷଣା ସହିତ ସେ ବ୍ୟବହାର କରୁଥିବା ଅଳଙ୍କାର ଛଡାଇ ନେଇଥିବାର ତୁଳସୀ ଘୋଷ ଥାନାରେ ଅଭିଯୋଗ କରିଛି । ଏପରି ଘଟଣାରେ ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା