ଚାଲିଛି ଶିଶୁଙ୍କ କୋଭିଡ୍‌ ଲକ୍ଷଣ ଯାଞ୍ଚ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ଶିଶୁମାନଙ୍କର କୋଭିଡ୍‌ ଲକ୍ଷଣ ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି । ଆଶାକର୍ମୀ, ଏ.ଏନ୍‌.ଏମ୍‌. ଏବଂ ଅଙ୍ଗନୱାଡି କର୍ମୀମାନଙ୍କୁ ଏଥିରେ ସାମିଲ କରାଯାଇଛି । ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ଏନ୍‌ଏସିର କାରିଣୀ ସାହି, ରେଡ୍ଡୀ ସାହି, ଭଣ୍ଡାରୀ ଓ ଗୋପବନ୍ଧୁ ନଗର ସାହିରେ ଘରକୁ ଘର ବୁଲି ରବିବାର ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟର ବୁଲି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ ଅନୁଧ୍ୟାନ ତଦାରଖ କରିଛନ୍ତି l ତାଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ l