ଚମ୍ପକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ କଳସ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଓଳିନ୍ଦା ଗ୍ରାମସ୍ଥିତ ୩୦୦ ବର୍ଷ ପୂର୍ବର ଚମ୍ପକେଶ୍ୱର ମହାଦେବଙ୍କ ମନ୍ଦିର ନବିକରଣ ଓ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱରର ଅନ୍ୟତମ ସର୍ବପୂରାତନ ଏହି ମନ୍ଦିରର ପ୍ରତିଷ୍ଠା ବେଳେ ଯଜ୍ଞାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମନ୍ଦିରର ଶକ୍ତି ସ୍ୱୟଂ ଆବିର୍ଭୁତ ହୋଇଥିବାରୁ ଏହାର ମୁଖଶାଳା ପଶ୍ଚିମାବମୁଖୀ ରହିଥିବାର ଗ୍ରାମ୍ୟ ମୁଖ୍ୟ ସମର ବଲ୍ଳଭ ସାହୁ ଓ ପୂଜା କମିଟି ମୁଖ୍ୟ ମୁରଲୀଧର ଜେନା ସୂଚନା ଦେଇଛନ୍ତି । ପୂର୍ବ ସୂଚନା ଅନୁଯାୟୀ ଗାଁର ଶହ ଶହ ମହିଳା ମଂଗଳବାର ବ୍ରାହ୍ମମୁହୁର୍ତ୍ତରେ ସୁବର୍ଣ୍ଣରେଖା ନଦୀର ବେଲବାରିଆ ଘାଟରୁ ପବିତ୍ର ପାଣି ଧରି ମନ୍ଦିର ଅଭିମୁଖେ ଆସିଥିଲେ । ପବିତ୍ର ପାଣିରେ ମନ୍ଦିର ଧୌତ କଲାପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ୮ଜଣ ପଣ୍ଡିତଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ୪ଦିନ ବ୍ୟାପି ପ୍ରତ୍ୟେକ ସଂଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏପରି ଭବ୍ୟ ନିର୍ମାଣ ହୋଇଥିବା ପୂଜାକମିଟି ଓ ଗ୍ରାମ୍ୟ କମିଟିର ସଦସ୍ୟମାନେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା