ଚକହରୀ ବେଆଇନ୍ ବାଲି ଖନନ ବିରୋଧରେ ତହସିଲରେ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବ ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀର ଚକହରୀ ଗାଁ ଠାରେ ବାଲି ଉତ୍ତୋଳନ ବିରୋଧରେ ଆଜି କେତେକ ଗ୍ରାମବାସୀ ଆସି ଜଳେଶ୍ୱର ତହସିଲ ସମ୍ମୁଖରେ ଧାରଣାରେ ବସିଥିଲେ । ନଦୀ ବନ୍ଧ କାଟିବା ବନ୍ଦ କରିବା, ନଦୀରୁ ବେଆଇନ୍ ବାଲି ନ ଉଠାଇବା, ଗ୍ରାମ୍ୟ ଜଂଗଲକୁ ନଷ୍ଟ ନ କରିବା ଓ ଗ୍ରାମବାସୀଙ୍କ ଧନଜୀବନକୁ ସୁରକ୍ଷିତ ରଖିବା ଦାବିରେ ଏହି ଗ୍ରାମବାସୀମାନେ ଆନ୍ଦୋଳନ କରିଥିବା ପ୍ରକାଶ । ଏଥିରେ ଭବେଶ ଦାସ, ସୁବାସ ଦାସ, କାଳିଚରଣ ଦେ, ଶ୍ରୀକାନ୍ତ ଦାସ,ଳ ଉମେଶ ଦାସ, ଗୋପାଳ ଦାସ, ପରେଶ ଦାସ, ସହଦେବ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ କଂଗ୍ରେସ ପ୍ରବକ୍ତ ସୂଦର୍ଶନ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ତହସିଲଦାରଙ୍କ ସହିତ ଏ ସମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ରାଇବଣିଆ ଅଂଚଳରେ ସୁବର୍ଣ୍ଣରେଖା ବହୁମୁଖୀ ଯୋଜନାର କେନାଲ ଖନନ କାର୍ଯ୍ୟ ଚାଲିଥିବାରୁ ସେଠାରୁ ବାଲି ନେବାଲାଗି ଜିଲାପାଳଙ୍କ ନିର୍ଦ୍ଦେଶରେ ୧୦ ଦିନିଆ ଲିଜ୍ ଦିଆଯାଇଛି । କିନ୍ତୁ ବାଲି ନେବାପାଇଁ ନଦୀବଂଧରୁ ନଦୀକୁ ରାସ୍ତା ନିର୍ମାଣ କରିବାକୁ ନେଇ ବିବାଦ ଦେଖାଦେବାରୁ ଏପରି ଧାରଣା ଦିଆଯାଇଥିବା ପ୍ରକାଶ । ଏ ସମ୍ପର୍କରେ ତହସିଲଦାର ସ୍ମୃତିରଂଜନ ମଲ୍ଲିକଙ୍କୁ ପଚାରିବାରୁ ଆପୋଷି ସମାଧାନ ହୋଇଥିବା କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା