ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ଘୋଷଣା ପ୍ରତ୍ୟାହାର ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ଜଳେଶ୍ୱର ତରଫରୁ ଜଳେଶ୍ବର ଡିଭିଜନ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ ସହ ବେଆଇନ ଭାବେ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ଘୋଷଣାର ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା । ବିଦ୍ୟୁତ୍ ବିଭାଗର  ତୃଟି ଯୋଗୁଁ ଗ୍ରାହକଙ୍କୁ ଅଧିକ ବିଲ୍ ଲାଗିବା, ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ନ ଥାଇ ବିଲ୍ ଆସିବା, ନିୟମିତ ଭାବେ ବିଲ୍ ନ ଦେଇ ଦୀର୍ଘ ମାସ ପରେ ଅଧିକ ବିଲ୍ ଲାଗୁ କରିବା, ବିଦ୍ୟୁତ୍ ମିଟର ଖରାପ ଥିବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ମିଟର ନ ବଦଳାଇ ମନ ଇଚ୍ଛା ବିଲ୍ ଲାଗୁ କରିବା ଆଦି ବହୁ ବିଭ୍ରାଟ ଥାଇ ବିଲ୍ ସଂଶୋଧନ ନ କରି ବିଦ୍ୟୁତ୍ ସଂଯୋଗ ବିଛିନ୍ନ କଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଚେତାବନୀ ଦିଆ ଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ ଗ୍ରହଣ କରି ନିର୍ବାହୀ ଯନ୍ତ୍ରୀ ବିଲ୍ ସଂଶୋଧନ କରା ନ ଯାଇ କୌଣସି ଗ୍ରାହକଙ୍କର ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହେବ ନାହିଁ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ଜଳେଶ୍ୱର ତରଫରୁ ଏହି ପ୍ରତିନିଧି ଦଳରେ ସଭାପତି ଡ.ରମାକାନ୍ତ ଭଞ୍ଜ, ସମ୍ପାଦକ ଡ.ଲଳିତ ରଞ୍ଜନ ସେନାପତି, କାର୍ଯ୍ୟକାରୀ ସଭାପତି ଭାସ୍କର ମିଶ୍ର, ସହ ସମ୍ପାଦକ ଶ୍ରୀମନ୍ତ କୁମାର ଘୋଷ, ସିତାଂଶୁ ସେନାପତି, ଅରୁଣ କୁମାର ବେଜ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା