ଗ୍ରାମ ପଞ୍ଚାୟତମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ପାଣ୍ଠିକୁ ରାଜ୍ୟ ସରକାର ହାତେଇ ନେଲେ : ପ୍ରଦୀପ ପୁରୋହିତ…

ପଦ୍ମପୁର (ସମୃଦ୍ଧ ଓଡିଶା) ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିବା ପରେ ତଳସ୍ତରରୁ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସିଧା ସଳଖ ଗ୍ରାମ ପଞ୍ଚାୟତମାନଙ୍କୁ କେନ୍ଦ୍ରୀୟ ସହାୟତା ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୨୦୨୦-୨୧ ବର୍ଷରେ ପଞ୍ଚଦଶ କେନ୍ଦ୍ରୀୟ ଫାଇନାସ୍ କମିଶନରର ଅର୍ଥ ସିଏଫସି (CFC) ଦେଶର ସମସ୍ତ ଗ୍ରାମ ପଞ୍ଚାୟତମାନଙ୍କୁ ଜନ ସଂଖ୍ୟା ଆଧାରରେ ୨୫ ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ ପ୍ରତି ଗ୍ରାମ ପଞ୍ଚାୟତ ମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି । କେନ୍ଦ୍ରୀୟ ଅନୁଦାନ ଅର୍ଥ କେଉଁ କେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତାର ସ୍ୱତନ୍ତ୍ର ଗାଇଡ ଲାଇନ୍ ମଧ୍ୟ ପ୍ରଦାନ କରିଛନ୍ତି । ଗ୍ରାମ ପଞ୍ଚାୟତ ମାନଙ୍କୁ ଆସିଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ହାତେଇ ନେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ମର୍ମରେ ରାଜ୍ୟ ପଞ୍ଚାୟତ ରାଜ ବିଭାଗ ସଚିବ ସମସ୍ତ ଜିଲ୍ଲାକୁ ଚିଠି ଲେଖି ୧୦ ଲକ୍ଷ ଟଙ୍କା ଲେଖାଏଁ ଗ୍ରାମ ପଞ୍ଚାୟତମାନେ ଭୁବନେଶ୍ୱର ସଚିବାଳୟ ଷ୍ଟେଟ ବ୍ୟାଙ୍କ ଶାଖାରେ Account No 37249281166 ରେ OWSSM (ODISHA WATER AND SANITATION MISSION) ନାମରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଅନ୍ୟ କୌଣସି ରାଜ୍ୟ ସରକାର ଗ୍ରାମ ପଞ୍ଚାୟତକୁ ଆସଥିବା କେନ୍ଦ୍ରୀୟ ଅନୁଦାନକୁ ହାତ ମାରୁନଥିବା ବେଳେ ଓଡିଶା ସରକାର ଗ୍ରାମ ପଞ୍ଚାୟତମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା ପାଇଁ Expert ନଥିବା ଦର୍ଶାଇ ରାଜ୍ୟ ସରକାର ଏହାକୁ ପରିଚାଳନା କରିବାର ବାହାନ ଦେଖାଇ କେନ୍ଦ୍ରୀୟ ଅନୁଦାନକୁ ହାତେଇବା ପାଇଁ ଯୋଜନା କରିଛନ୍ତି । ଓଡିଶାରେ ଥିବା ୬ ହଜାର ୭ ଶହ ୯୮ (୬୭୯୮) ଗ୍ରାମ ପଞ୍ଚାୟତମାନଙ୍କୁ ରାଜ୍ୟ ସରକାର ପାଖାପାଖି ୭ ଶହ କୋଟି ଟଙ୍କା ହାତେଇବା ପାଇଁ ଯୋଜନା କରିଛନ୍ତି । ଅନେକ ଗ୍ରାମ ପଞ୍ଚାୟତ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାରଙ୍କୁ ଦେବା ପାଇଁ ରାଜି ହେଉନ ଥିବାବେଳେ ସରକାରୀ ଅଧିକାରୀ ସରପଞ୍ଚମାନଙ୍କ ଉପରେ ଟଙ୍କା ଜମା ଦେବା ପାଇଁ ଚାପ ତିଆରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ନିଜ ତହର୍ବଲିକୁ କିପରି ନେଉଛନ୍ତି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରଶ୍ନ କରିବା ସହ ଦେଶର ଅନ୍ୟ ରାଜ୍ୟମାନେ ଗ୍ରାମ ପଞ୍ଚାୟତକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚକୁ କେବଳ ଗାଇଡ କରୁଥିବା ବେଳେ ଓଡିଶା ସରକାରଙ୍କ ଅଭିନବ ଉପାୟରେ କେନ୍ଦ୍ରୀୟ ଅନୁଦାନକୁ ହାତେଇ ନେଉଛନ୍ତି ବୋଲି ପ୍ରକାଶ କରି ସରକାରଙ୍କ ଏ ଭଳି ପଦକ୍ଷେପକୁ ନିନ୍ଦା କରିବା ସହ ୧୦ ଲକ୍ଷ ଟଙ୍କା ଜମା ଦେଇଥିବା ଗ୍ରାମ ପଞ୍ଚାୟତମାନଙ୍କୁ ସେମାନଙ୍କ ଅନୁଦାନ ତୁରନ୍ତ ଫେରାଇ ଦେବା ପାଇଁ ଦାବି କରିଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ